ସ୍କୁଲ କର୍ତ୍ତୃପକ୍ଷଙ୍କ ନିଷ୍ଠୁରତା: ଫି’ ନଦେବାରୁ ୫ ଘଣ୍ଟା ଯାଏଁ ୫୦ ଜଣ ଛାତ୍ରୀଙ୍କୁ ରଖିଲେ ବନ୍ଧକ

ନୁଆଦିଲ୍ଲୀ: ସ୍କୁଲ ଫି’ ଦେଇନଥିବାରୁ ଛାତ୍ରୀଙ୍କୁ ବନ୍ଧକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ। ଏପରି ଏକ ଆଶ୍ଚର୍ୟ୍ୟ ଜନକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଚାନ୍ଦିନୀ ଚୌକ ଅଞ୍ଚଳର ରାବିୟା ଗାର୍ଲ୍ସ ପବ୍ଲିକ ସ୍କୁଲରେ ୫୦ ଜଣ ଛାତ୍ରୀଙ୍କୁ ବେସମେଣ୍ଟରେ ବସାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପିଲାଙ୍କ ଅଭିଭାବକ ସ୍କୁଲ ଫି’ ଦେଇନଥିବାରୁ ସକାଳ ୭ଟା ୩୦ରୁ ପାଖାପାଖି ୫ ଘଣ୍ଟା ବନ୍ଧକ କରି ରଖିଥିବା ଅଭିଯୋଗ ହୋଇଛି।
ସ୍କୁଲ ଛୁଟି ହେବା ପରେ ଛାତ୍ରୀମାନେ ବାହାରକୁ ଆସିଥିଲେ, ସେତେବେଳେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଅଭିଭାବକମାନେ ସ୍କୁଲ ଆଗରେ ହଙ୍ଗାମା କରିଥିଲେ। କେଉଁ ପରିସ୍ଥିତିରେ ପିଲାମାନଙ୍କୁ ନିର୍ଦ୍ଦୟ ଭାବେ ବେସମେଣ୍ଟରରେ ରଖାଗଲା ତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ରିପୋର୍ଟ ମାଗିଛନ୍ତି। ଏହା ସହ ଏକ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ରିପୋର୍ଟ ସହ ଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବୈଠକକୁ ଆସିବାକୁ କହିଛନ୍ତି କେଜରିଓ୍ଵାଲ।