ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ଥରିଲା ବିଲ୍ଡିଂ, ରିକ୍ଟର ସ୍କେଲରେ ତୀବ୍ରତା ୪.୭

ଇରାନ୍ ପରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ । ରାଜଧାନୀ ଇସ୍ଲାମାବାଦ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜୋର୍ଦାର ଝଟ୍କା ଅନୁଭୂତ ହୋଇଛି । ବୁଧବାର ଏଠାରେ ୪.୭ ତୀବ୍ରତାର ଭୂମିକମ୍ପ ଆସିଛି । ଜୋର୍ରେ କମ୍ପନ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରି ଆସିଥିଲେ ଏବଂ ବହୁ ସମୟ ଯାଏ ଭିତରକୁ ଯାଇ ନ ଥିଲେ ।
ଯଦିଓ କ୍ଷୟକ୍ଷତି କି ଜନହାନିର କୌଣସି ଖବର ଆସିନାହିଁ । ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫ୍ଗାନିସ୍ତାନର ଦକ୍ଷିଣ-ପୂର୍ବାଞ୍ଚଳରେ ୯୮ କିଲୋମିଟର ଗଭୀରରେ ଥିଲା ।
ଏହି ଭୂମିକମ୍ପ ଝଟ୍କା ଇସ୍ଲାମାବାଦ, ରାଓ୍ଵଲପିଣ୍ଡି, ପେସାଓ୍ଵାର, ସ୍ୱାତ, ମଲକନ୍ଦ, ଉତ୍ତର ଓ୍ଵଜିରିସ୍ତାନ, ପାରାଚିନାର୍, ଲୋୟର ଦିର୍, ହାଙ୍ଗୁ, ଚାରସଦ୍ଦା ଏବଂ ସ୍ୱାବି ସମେତ ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି । କହି ରଖୁଛୁ କି, ଏମିତି ଭୂମିକମ୍ପ ପାକିସ୍ତାନରେ ପ୍ରାୟ ସମୟରେ ଆସିଥାଏ ।
ଚଳିତ ମାସ ଆରମ୍ଭରେ କରାଚିର କେତେକ ସ୍ଥାନରେ ୩.୨ ତୀବ୍ରତାର ଭୂମିକମ୍ପ ଆସିଥିଲା । ଦେଶର ଗଦପ, କାଟୋହର ଏବଂ ମାଲିର ଜିଲ୍ଲାର କିଛି ଅଞ୍ଚଳରେ ଲୋକମାନେ ମେ’ ୨ରେ ୨.୩ ତୀବ୍ରତାର ଝଟ୍କା ଅନୁଭବ କରିଥିଲେ । ପଞ୍ଜାବ ଏବଂ ଖାଇବର-ପାଖତୁନଖୱା ପ୍ରଦେଶରେ ମାର୍ଚ୍ଚ ୧୩ରେ ୫.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ୨୦୦୫ରେ ପାକିସ୍ତାନରେ ଆସିଥିବା ୭.୪ ତୀବ୍ରତାର ଭୂମିକମ୍ପରେ ୭୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
ସେପଟେ ଆଜି ଇରାନରେ ମଧ୍ୟ ଏକ ଶକ୍ତିଶାଳୀ ଭୂମିକମ୍ପରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ତୀବ୍ରତା ୪.୯ ଥିଲା । ଏଠାରେ ଘରଦ୍ୱାର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ୧୨୦ ଜଣ ଲୋକ ଆହତ ହୋଇଛନ୍ତି । ଭୂକମ୍ପରେ ଆହତ ୩୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୂକମ୍ପ ଯୋଗୁ ସହରର କିଛି ବିଲ୍ଡିଂ ଭୁଶୁଡ଼ି ପଡ଼ିବା ସହ ଅନେକ ରାସ୍ତା ନଷ୍ଟ ହୋଇଯାଇଛି । ଭୂକମ୍ପ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ସନ୍ଧାନୀ କୁକୁର ସହ ୫ଟି ଟିମ୍ ଘଟଣାସ୍ଥଳକୁ ପଠାଇଛି ।