ଭୂକମ୍ପରେ ଛାରଖାର ମିଆଁମାର: ୬୯୪ ଟପିଲାଣି ମୃତ୍ୟୁ ସଂଖ୍ୟା, ଚାଲିଛି ଉଦ୍ଧାର କାର୍ଯ୍ୟ

ମିଆଁମାର, ବ୍ୟାଙ୍କକରେ ଧ୍ବଂସର ତାଣ୍ଡବ ଲୀଳା କରିଛି ଭୂକମ୍ପ ।  ମୃତ୍ୟୁ ସଂଖ୍ୟା ୬୯୪କୁ ବୃଦ୍ଧି। ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି। ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି। ୧୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଶକ୍ତିଶାଳୀ ଭୂକମ୍ପରେ ସବୁ କିଛି ଧ୍ବସଂ ହୋଇ ଯାଇଛି । ଅନେକ ନଭଶ୍ଚୁମ୍ବୀ ଅଟ୍ଟାଳିକା ତାସ ଘର ଭଳି ଭୁଶୁଡ଼ି ପଡ଼ିଛି । ଅନେକ ପୋଲ ଭାଙ୍ଗି ଯାଇଛି। ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି ।  କିଛି ସ୍ଥାନ ମୃତ୍ୟୁର ଇଲାକା ପାଲଟି ଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ ।

ଥାଇଲାଣ୍ଡରେ ଭୂକମ୍ପ ଏତେ ତୀବ୍ର ଥିଲା ଯେ ବ୍ୟାଙ୍କକକ୍ ରେ ଥିବା ଛାତ ଉପର ସୁଇମିଂ ପୁଲ୍ ହଠାତ୍ ଭରିଗଲା ଏବଂ ଜଳପ୍ରପାତ ପରି ଏକ ଉଚ୍ଚ ବିଲ୍ଡିଂ ଉପରୁ ପାଣି ତଳକୁ ଖସିପଡ଼ିବାକୁ ଲାଗିଲା । ସହରରେ ନିର୍ମାଣାଧୀନ ଏକ 30 ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକା ଭୁଶୁଡି ପଡ଼ିବାରୁ ସେଥିରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି ।  ମୃତାହତ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ୭.୭ ତୀବ୍ରତାର ଭୂକମ୍ପରେ ସବୁ କିଛି ଛାରଖାର ହୋଇ ଯାଇଛି  ।

ଆହୁରି ପଢ଼ନ୍ତୁ :  ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କଲେ ମୋଦି, କହିଲେ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ