ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ଝଟ୍‌କା: ୨୦ ମୃତ, ୨୦୦ ଗୁରୁତର

ପାକିସ୍ତାନରେ ଗୁରୁବାର ସକାଳେ ଭୟଙ୍କର ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୦ ଥିବା ଆକଳନ କରାଯାଇଛି। ଏହି ଭୂମିକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଯେ ଭୂମିକମ୍ପର ଝଟ୍‌କା ବଲୁଚିସ୍ତାନ ଓ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି।

ପାକିସ୍ତାନର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ନିର୍ଦ୍ଦେଶକ ଜେନେରାଲ ନସୀର କହିଛନ୍ତି, ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଆଜି ସକାଳେ ଦକ୍ଷିଣ ପାକିସ୍ତାନରେ ଏହି ଭୂକମ୍ପ ଝଟ୍‌କା ଲାଗିଛି। ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି।

ସୂଚନା ମୁତାବକ, ଭୂମିକମ୍ପ ଝଟ୍‌କାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଭୂମିକମ୍ପ ବେଳେ ପାକିସ୍ତାନରେ ଅଧିକାଂଶ ଲୋକ ଶୋଇଥିଲେ। ଘରଦ୍ୱାରା ଦୋହଲିବା ପରେ ଲୋକେ ଭୟରେ ବାହାରକୁ ଚାଲିଆସିଥିଲେ। କିନ୍ତୁ କେତେକ ସ୍ଥାନରେ ଘର ଭୁଶୁଡ଼ିପଡ଼ିବାରୁ ଲୋକେ ବାହାରକୁ ଆସିବାରେ ସକ୍ଷମ ହୋଇନଥିଲେ। ଫଳ ସ୍ୱରୂପ ଚାପି ହୋଇ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକ ଏବେ ବି ଚାପି ହୋଇ ରହିଥିବା ସୂଚନା ମିଳିଛି।

କୁହାଯାଉଛି ଯେ ଭୂମିକମ୍ପ ଯୋଗୁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଫଳରେ ଦଳା ଚକଟାରେ ବି କିଛି ଲୋକଙ୍କ ଜୀବନ ଯାଇଛି। ବେଲୁଚିସ୍ତାନ ଅଞ୍ଚଳରେ କେତେକ କୋଠା ଭୁଶୁଡ଼ି ପଡ଼ିଥିବା ଖବର ସାମ୍ନାକୁ ଆସିଛି। ଏଣୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏବେ ଯାଏଁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। କିନ୍ତୁ ମୃତକଙ୍କ ସଖ୍ୟା ବଢ଼ିପାରେ ବୋଲି ଜଣେ ପାକ୍‌ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.