ପୁଣିଥରେ ଭୂମିକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦

ନେପାଳ: ନେପାଳରେ ପୁଣିଥରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍‌କାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ବୋଲି ମପାଯାଇଛି। ଆଜି ସକାଳୁ ସକାଳୁ ଏହି ଭୂକମ୍ପର ଝଟ୍‌କାରେ ନେପାଳ ଦୋହଲିଯାଇଛି। କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିବା ଜଣାଯାଇଛି।

ନେପାଳ ସମୟ ମୁତାବକ, ସକାଳ ୮.୧୩ ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ନେପାଳର ନ୍ୟାସନାଲ ଆର୍ଥକ୍ୱେକ୍‌ ମନିଟରିଂ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ମୁତାବକ, ଖୋଟାଙ୍ଗ ଜିଲ୍ଲାର ମାରତିମ ବିରତା ନାମକ ଜାଗା ହେଉଛି ଭୂମିକମ୍ପର କେନ୍ଦ୍ର ସ୍ଥଳ। ଭୂମିକମ୍ପର ଏପିସେଣ୍ଟର ପୂର୍ବ ନେପାଳର ୧୦ କିଲୋମିଟର ପରିଧି ଭିତରେ ମପାଯାଇଛି।

ନେପାଳରେ ଆସିଥିବା ଏହି ଭୂମିକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ସାମ୍ନାକୁ ଆସି ନାହିଁ। ତେବେ ପୂର୍ବରୁ ଆସିଥିବା କିଛି ଭୂମିକମ୍ପରେ ନେପାଳରେ ଲୋକଙ୍କ ଧନ ଜୀବନ ହାନି ହୋଇଥିଲା। ୨୫ ଏପ୍ରିଲ ୨୦୧୫ରେ ନେପାଳର ରାଜଧାନୀ କାଠମାଣ୍ଡୁ ଓ ପୋଖରା ସହର ମଧ୍ୟରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏହି ଭୂମିକମ୍ପ ଯୋଗୁ ଲୋକମାନେ ପ୍ରବଳ କ୍ଷତି ସହିଥିଲେ। ଏହି ଭୂମିକମ୍ପ ଯୋଗୁ ୮୯୬୪ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ପାଖାପାଖି ୨୨ ହଜାର ଲୋକ ଗୁରୁତର ହୋଇଥିଲେ। ନେପାଳରେ ଆସିଥିବା ଏହି ବିନାଶକାରୀ ଭୂମିକମ୍ପକୁ ଗୋରଖା ଭୂକମ୍ପ ଭାବେ ନାମିତ କରାଯାଇଥିଲା।

Also Read: ସାପ୍ତାହିକ ଭାଗ୍ୟଫଳ ! ଜାଣନ୍ତୁ ଏ ସପ୍ତାହ କେମିତି କଟିବ, କାହା ପ୍ରତି ରହିବେ ସାବଧାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.