ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଥରିଲା ଆଫଗାନିସ୍ତାନ । ଗୁରୁବାର ଏଠାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମପାଯାଇଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଗୁରୁବାର ସକାଳେ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଭୂମିକମ୍ପ ଆସିଥିଲା । ହଠାତ୍ ଭୂମି ଦୋହଲିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।
ଭୂମିକମ୍ପର କେନ୍ଦ୍ରସ୍ଥଳ ୧୮୦ କିଲୋମିଟର ଗଭୀରରେ ଥିଲା । ପ୍ରାୟତଃ ଏଠାରେ ଭୂମିକମ୍ପ ଆସିଥାଏ । ମଙ୍ଗଳବାର ମଧ୍ୟ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା । ଆଫଗାନିସ୍ତାନର ପଡ଼ୋଶୀ ଦେଶ ତାଜାକିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ଆସିଥିଲା । ୨୮ କିଲୋମିଟର ଗଭୀରତାରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା ।
ନିକଟରେ ଦକ୍ଷିଣ-ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୫ । ଏହାପରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଶରେ ସୁନାମୀ ଚେତାବନୀ ଜାରି କରିଥିଲା ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି ଟେବୁଲ୍ କି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।
ଆହୁରି ପଢ଼ନ୍ତୁ: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୬.୫, ସୁନାମୀ ଚେତାବନୀ ଜାରି