ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚିଲି, ତୀବ୍ରତା ୬.୨
ଚିଲିରେ ଶକ୍ତିଶାଳୀ ଭୂମିକମ୍ପ । ଏହି ଦକ୍ଷିଣ ଆମେରିକୀୟ ଦେଶରେ ୬.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଚିଲିର ସ୍ଥାନୀୟ ସମୟ ଅନୁସାରେ, ଡିସେମ୍ବର ୨ ଗୁରୁବାର ସନ୍ଧ୍ୟାରେ ଏଠାରେ ବଡ଼ ଧରଣର ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି ।
ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସି ନାହିଁ । ଭୂମିକମ୍ପରେ ଘରଦ୍ୱାର ଦୋହଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଚିଲିର କାଲାମା ନିକଟରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା । କାଲାମାଠାରୁ ୮୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଝଟକା ଅନୁଭବ କରାଯାଇଥିଲା ।
କହି ରଖୁଛୁ ଯେ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ତୀବ୍ରତାର ଭୂମିକମ୍ପ କେବଳ ଚିଲିରେ ହିଁ ରେକର୍ଡ କରାଯାଇଛି । ଚିଲିର ଭାଲଡିଭିଆରେ ଆସିଥିବା ଏହି ଭୟଙ୍କର ଭୂମିକମ୍ପର ତୀବ୍ରତା ୯.୫ ରେକର୍ଡ କରାଯାଇଥିଲା । ଏଥିରେ ୧୬୫୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦୦୦ ଲୋକ ଆହତ ହୋଇଥିଲେ । ଏହିପରି ୨୦୧୦ରେ ମଧ୍ୟ ଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଏହାର ତୀବ୍ରତା ଥିଲା ୮.୮ । ଏଥିରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
🔔#Earthquake (#sismo) M6.2 strikes 84 km NW of #Calama (#Chile) 4 min ago. More info: https://t.co/pzl2GcrriA
— AllQuakes – EMSC (@EMSC) January 2, 2025
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି ଟେବୁଲ୍ କି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।