ମିଆଁମାର ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ଶୋଇଥିବା ବେଳେ ଥରିଲା ମାଟି

ଭୂକମ୍ପରେ ଥରିଲା ମିଆଁମାର । ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନାହିଁ । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ମୁତାବକ, ରାତି ପ୍ରାୟ ୧ଟା ସମୟରେ ଭୂମିକମ୍ପ ଝଟକା ହୋଇଥିଲା । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ ।
ସେହିପାରି ଭୂକମ୍ପରେ ଦୋହଲିଲା ଉତ୍ତରାଖଣ୍ଡ ସୀମାନ୍ତ ଜିଲ୍ଲା ଉତ୍ତରକାଶୀ । ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭.୪୨ ମିନିଟରେ ହୋଇଥିବା ବେଳେ ୮.୨୧ ମିନିଟରେ ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ଏବଂ ୩.୫ ଥିଲା । ଦ୍ୱିତୀୟ ଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଲେ । ଭୂମିକମ୍ପଟି ୫ କିଲୋମିଟର ଗଭୀରତାରେ ହୋଇଥିଲା ।
ଏନେଇ ପ୍ରଶାସନ ସତର୍କ ରହିବା ସହିତ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ନିବେଦନ କରିଛି । ଉତ୍ତରକାଶୀ, ଯୋଶୀଦା, ଗ୍ୟାନସୁ ସମେତ ଭାଟୱାଡି, ଡୁଣ୍ଡା, ଚିନ୍ୟାଲିସୌର, ପୁରୋଲା ଏବଂ ମୋରି ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହେବାର ଖବର ମିଳିନାହିଁ । ବର୍ତ୍ତମାନ ତାହା ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀର ଉତ୍ତର-ପୂର୍ବରେ ୨୦ କିଲୋମିଟର ଦୂରରେ ଥିଲା ।
ସୂଚନା ଅନୁସାର, ସ୍ଥାନୀୟ ଲୋକେ ଏହାର ପ୍ରଭାବ ଅନୁଭବ କରିଛନ୍ତି । ରାତିରେ ଲୋକେ ଶୋଇଥିବା ବେଳେ ଭୂକମ୍ପ ହେବା କାରଣରୁ ଲୋକ ଭୟଭୀତ ହୋଇଯାଇଥିଲେ । ଝଟକା, ଘର ଓ କବାଟ ସବୁ ଦୋହଲି ଯାଇଥିଲା । ବାସନ ଏବଂ ଘର ଅନ୍ୟାନ ଜିନିଷ ସବୁ ତଳେ ପଡିଯାଇଥିଲା । ତେବେ ଲୋକେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ।