ୱାୟନାଡ଼ ଭୂସ୍ଖଳନ: ୩୩୦ ଟପିଲା ମୃତ୍ୟୁ ସଂଖ୍ୟା, ମାଟି ତଳୁ ଏବେ ବି ଜୀବନ୍ତ ଉଦ୍ଧାର ହେଉଛନ୍ତି ଲୋକ

ନୂଆଦିଲ୍ଲୀ : ପଞ୍ଚମ ଦିନରେ କେରଳର ୱାୟନାଡ ରେସକ୍ୟୁ ଅପରେସନ। ୩୩୦ ଟପିଲା ମୃତ୍ୟୁ ସଂଖ୍ୟା । ଆହୁରି ୨୦୦ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଯେତେ ଖୋଜିଲେ ସେତେ ମିଳୁଛି ମୃତଦେହ। କିନ୍ତୁ ଭୂସ୍ଖଳନ ଏତେ ଭୟଙ୍କର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ସରି ପାରୁ ନାହିଁ। ସବୁଠି ପହଞ୍ଚି ପାରୁ ନାହାନ୍ତି ଉଦ୍ଧାରକାରୀ। ବେଲି ବ୍ରିଜ ନିର୍ମାଣ କରି ଦୁର୍ଗମ ସ୍ଥାନରେ ପହଞ୍ଚୁଛି ସେନା । ଏପର୍ଯ୍ୟନ୍ତ ପ୍ରାୟ ସାଢେ ୯ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲାଣି। ୯୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି। ପଥର ଖଣ୍ଡ ତଳୁ ଜୀବନର ସନ୍ଧାନ ବି ଚାଲିଛି। ଏବେ ବି କେହି କେହି ଜୀବନ୍ତ ଉଦ୍ଧାର ହେଉଛନ୍ତି।

ଡଗସ୍କ୍ବାର୍ଡ ସହାୟତାରେ ମାଟି ତଳୁ ୨ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସେନା। ଲଗାଣ ବର୍ଷା, ପ୍ରବଳ କାଦୁଅ ଓ ପ୍ରତିକୂଳ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟ କରୁଛି। ସର୍ବାଧିକ କ୍ଷତିଗ୍ରସ୍ତ ଚୁରାଲମାଲା ଓ ମୁଣ୍ଡାକାଇରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ବେଲି ବ୍ରିଜ ନିର୍ମାଣ ହେବା ପରେ ଲ୍ୟାଣ୍ଡସାଇଡର ମୁଖ୍ୟସ୍ଥଳ ପୁଞ୍ଚିରିମଟ୍ଟକୁ ଯୋଗାଯୋଗ ଆରମ୍ଭ ହୋଇଛି। ଅନ୍ୟପଟେ ପ୍ରବଳ ବର୍ଷା ନେଇ ୱାୟନାଡକୁ ଆଜି ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉଦ୍ଧାରକାରୀ ଦଳଙ୍କ ଚିନ୍ତା ବଢ଼ାଇ ଦେଇଛି ଆଇଏମଡିର ଆଲର୍ଟ।

ସେହିପରି ଗତକାଲି ଭୂସ୍ଖଳନର ଚାରି ଦିନ ପରେ ଭାରତୀୟ ସେନା ୪ ଜଣଙ୍କୁ ମାଟି ତଳୁ ଜୀବନ୍ତ ଉଦ୍ଧାର କରିଛି । ଏଥିରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ । ଏମାନେ ସମସ୍ତେ ପଦାଭେଟ୍ଟି କୁନ୍ନୁରେ ଫସି ରହିଥିଲେ । ତେବେ ଉଦ୍ଧାର ପରେ ଜଣେ ମହିଳା ଚାଲିପାରୁ ନାହାନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଶୁକ୍ରବାର ଭୂସ୍ଖଳନର ଚତୁର୍ଥ ଦିନରେ ୪୦ଟି ଉଦ୍ଧାରକାରୀ ଟିମ୍‌ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସର୍ଚ୍ଚ ଓ ରେସ୍‌କ୍ୟୁ କାର୍ଯ୍ୟ ଚଳାଇ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ।

ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ଅପରେସନ୍‌ ସତର୍କତାର ସହିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ସୁବିଧାଜନକ କରିବା ପାଇଁ ଲାଇଟ୍‌ ହେଲିକପ୍ଟର (ALH) ବ୍ୟବହୃତ ହୋଇଥିଲା । ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ହେତୁ ମାଟି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଠିକ୍‌ ସମୟରେ ଉଦ୍ଧାର କରାଯାଇ ପାରିଥିଲା ।

 

You might also like