ଅର୍ଥନୀତିଜ୍ଞ ବିବେକ ଦେବରାୟଙ୍କ ନିଧନ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଥିଲେ ଚେୟାରମ୍ୟାନ

ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବରାୟଙ୍କ ୬୯ ବର୍ଷ ବୟସରେ ନିଧନ ହୋଇଛି । ଭାରତୀୟ ଅର୍ଥନୀତିରେ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ପରିଚିତ ଦେବରାୟ ଦେଶର ଆର୍ଥିକ ନୀତି ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥଶାସ୍ତ୍ର ସଂସ୍ଥାନର କୁଳାଧିପତି ରୂପେ କାର୍ଯ୍ୟ କରିଥିଲେ । ୨୦୧୯ ଜୁନ୍ ୫ ଯାଏ ସେ ନୀତି ଆୟୋଗର ସଦସ୍ୟ ଥିଲେ । ଅନେକ ପୁସ୍ତକ ଲେଖିବା ସହିତ ସେ ପ୍ରବନ୍ଧ ଲେଖିଥିଲେ ଏବଂ ସମ୍ପାଦନା ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ବିବେକ ଦେବରାୟଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି । ପିଏମ୍ ମୋଦି ଲେଖିଛନ୍ତି, ‘ମୁଁ ଡ. ଦେବରାୟଙ୍କୁ ବହୁ ବର୍ଷରୁ ଜାଣିଛି । ତାଙ୍କ ଅନ୍ତର୍ଦୃଷ୍ଟି ଏବଂ ଏକାଡେମିକ୍ ଆଲୋଚନା ପ୍ରତି ତାଙ୍କର ଆଗ୍ରହକୁ ମୁଁ ସର୍ବଦା ମନେ ରଖିବି । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କ ପରିବାର ଏବଂ ସାଙ୍ଗସାଥୀଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି’ ।

ପିଏମ୍ ମୋଦି ଆହୁରି କହିଛନ୍ତି, ‘ଡ. ବିବେକ ଦେବରାୟ ଜଣେ ମହାନ ବିଦ୍ୱାନ ଥିଲେ । ସେ ଅର୍ଥଶାସ୍ତ୍ର, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନେକ କ୍ଷେତ୍ରରେ ପାରଙ୍ଗମ ଥିଲେ । ନିଜର କାମ ଜରିଆରେ ସେ ଭାରତର ବୌଦ୍ଧିକ ଦୃଶ୍ୟପଟରେ ଏକ ଅଲିଭା ଛାପ ଛାଡ଼ିଛନ୍ତି’ ।

କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ବିବେକ ଦେବରାୟଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି ।

You might also like