ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡିର ରେଡ, ବିଧାୟକ ଆଣିଲେ ଏଭଳି ଅଭିଯୋଗ

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ବାଟଲା ହାଉସ ସ୍ଥିତ ଘରେ ଇଡି ଟିମ ଚଢାଉ କରିଛି । ଇଡି ସୋମବାର ସକାଳୁ ସକାଳୁ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ କରିବାକୁ ଯାଇଥିଲା । ଇଡି ଟିମ୍‌ ଓ୍ୱାକଫ ବୋର୍ଡ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ତାଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ଇଡି ଅଧିକାରୀ ଅମାନତୁଲ୍ଲାହଙ୍କୁ ପଚରାଉଚରା କରୁଛି ।

ଇଡି ଚଢାଉ କରିବାକୁ ଯାଇଥିବା ସମୟରେ ବିଧାୟକ ଅମାନତୁଲ୍ଲାହ ଘର କବାଟ ଖୋଲିନଥିଲେ । ତେଣୁ ଇଡି ଅଧିକାରୀ ତାଙ୍କ ଘର ବାହାରେ ଠିଆ ହୋଇଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୋଲିସକୁ ଡକାଯାଇଛି । ୱାକଫ ବୋର୍ଡ ମାମଲାରେ ଇଡିର ଏକ ଟିମ୍ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ ପାଇଁ ଆଜି ସକାଳୁ ପହଞ୍ଚିଥିଲା ।

ଏହାକୁ ନେଇ ଆପ୍ ବିଧାୟକ ଅମାନତୁଲ୍ଲାହ ଖାନ୍ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, ‘ଇଡିର ଲୋକମାନେ ଆଜି ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି । ସର୍ଚ୍ଚ ୱାରେଣ୍ଟ ନାମରେ ଇଡିର ଟିମ୍ ମୋତେ ଗିରଫ କରିବାକୁ ଆସିଛନ୍ତି । ମୋ ଶାଶୁ କ୍ୟାନସର ରୋଗରେ ପୀଡିତ । ୪ ଦିନ ପୂର୍ବରୁ ତାଙ୍କର ଅପରେସନ କରାଯାଇଛି । କେବଳ ମୋତେ ନୁହେଁ ମୋ ଦଳକୁ ମଧ୍ୟ ହଇରାଣ କରୁଛନ୍ତି । ଏମାନଙ୍କ ଉଦ୍ଧେଶ୍ୟ ହେଲା ଆମକୁ ଭାଙ୍ଗିବା ଓ ଅଲଗା କରିବା । କିନ୍ତୁ ଏମାନଙ୍କୁ ଆମେ ଡରିବୁ ନାହିଁ । ମୋର ଆଇନ ବ୍ୟବସ୍ଥା ଉପରେ ଓ ଅଦାଲତ ଉପରେ ବିଶ୍ୱାସ ରହିଛି । ନିଶ୍ଚିତ ଆମକୁ ନ୍ୟାୟ ମିଳିବ ।