୫୦ କୋଟି କୁକୁରର ମିଛ କାହାଣୀ, ଇଡି ତଦନ୍ତରୁ ସାମ୍ନାକୁ ଆସିଲା ସତ

ବେଙ୍ଗାଲୁରୁ: ୫୦ କୋଟି କୁକୁରର ମିଛ କାହାଣୀ । ବେଙ୍ଗାଲୁରୁର ଏସ୍ ସତୀଶ ଦୁନିଆର ସବୁଠୁ ମହଙ୍ଗା କୁକୁର ୫୦ କୋଟି ଟଙ୍କାରେ କିଣିଥିବା ଦାବି କରିଥିବା ବେଳେ ଏହା ମିଛ ବୋଲି ଜଣାପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ତଦନ୍ତରୁ ଏକଥା ସାମ୍ନାକୁ ଆସିଛି । ନିଜର ପବ୍ଲିସିଟି ଷ୍ଟଣ୍ଟ ପାଇଁ ସତୀଶ ଏପରି କପୋଳକଳ୍ପିତ କାହାଣୀ ରଚନା କରିଥିବା ଜଣାଯାଇଛି ।

କିଛି ଦିନ ତଳେ ବେଙ୍ଗାଳୁରୁର ଏସ ସତୀଶ ଦାବି କରିଥିଲେ ଯେ, ୱଲଫ ଡଗ ବା ଗଧିଆ ପରି ଦେଖାଯାଉଥିବା କୁକୁର ତାଙ୍କ ପାଖରେ ରହିଛି । ଏହି କୁକୁରର ନାଁ କାଡାବମ୍ବ ଓକାମୀ। ଏହା ଏକ ବିରଳ ପ୍ରଜାତିର କୁକୁର ଓ ବିଶ୍ୱର ଏକମାତ୍ର କୁକୁର । ଆମେରିକାରେ ଜନ୍ମଗ୍ରହଣ କରିଥିବା ୱଲଫ ଡଗକୁ ବେଙ୍ଗାଳୁରୁର ୫୧ ବର୍ଷିୟ ଏସ ସତୀଶ ୪. ୪ ମିଲିୟନ ପାଉଣ୍ଡ ବା ଭାରତୀୟ ମୁଦ୍ରା ୫୦ କୋଟି ଟଙ୍କାରେ କିଣିଥିବା କହିଥିଲେ ।

ଗଧିଆ ପରି ଦେଖାଯାଉଥିବା ଏହି କୁକୁର ମାତ୍ର ୮ମାସର ହୋଇଥିବା ବେଳେ ଏହାର ଓଜନ ୭୫ କିଲୋ ଓ ୩୦ ଇଞ୍ଚ ଡେଙ୍ଗା । କାଡାବମ୍ବ ଓକାମୀ ପ୍ରତିଦିନ ୩କିଲୋ କଞ୍ଚା ଚିକେନ ଖାଇଥାଏ ବୋଲି କହିଥିଲେ ସତୀଶ। ଏହି ଘଟଣାରେ ଫେମା ଆଇନର ଉଲ୍ଲଂଘନ ସନ୍ଦେହରେ ଇଡି ପକ୍ଷରୁ ଖୋଳତାଡ଼ କରାଯାଇଥିଲା । ସତୀଶଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏହି କାଡାବମ୍ବ ସେଫର୍ଡ କେଉଁଠି ଅଛି ଜାଣିବାକୁ ଚାହିଁଥିଲେ ।

ୱଲଫଡଗ କିଣିବା ସଂପର୍କିତ କାଗଜପତ୍ର ଯାଞ୍ଚ ପାଇଁ ସତୀଶଙ୍କୁ ମାଗିଥିଲେ । ତେବେ ତଦନ୍ତରୁ ଜଣାପଡ଼ିଛି ଯେ ସତୀଶଙ୍କ ପାଖରେ ଓଲଫଡଗ ବା ଗଧିଆ ପରି ଦେଖାଯାଉଥିବା କୁକୁର ନାହିଁ । ଏପରି ଦାମୀ କୁକୁର କିଣିବା ନେଇ କୌଣସି କାଗତପତ୍ର ମଧ୍ୟ ସେ ଦେଖାଇ ପାରିନଥିଲେ । ସତୀଶ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଦାମୀ କୁକୁରର ମିଛ ନାଟକ କରିଥିବା ତଦନ୍ତରୁ ଜଣାପଡ଼ିଛି ।

ଆହୁରି ପଢନ୍ତୁ: ଯୌତୁକରେ କାର ଡିମାଣ୍ଡ କଲା ବରପକ୍ଷ, ବେଦିରୁ ଉଠିଲେ ଦୁଇ ଭଉଣୀ