ନୂଆ ଶିକ୍ଷାନୀତିକୁ ନେଇ ସୋନିଆ-ଧର୍ମେନ୍ଦ୍ରଙ୍କ ବିତର୍କ, କାଉଣ୍ଟର ଆଟାକ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଚର୍ଚ୍ଚାରେ ସୋନିଆ- ଧର୍ମେନ୍ଦ୍ରଙ୍କ ବିତର୍କ । ସୋନିଆ ଗାନ୍ଧୀଙ୍କ ଥ୍ରୀ-ସି ଆଟାକ ପରେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷାର ପ୍ରକୃତ ଚିତ୍ର ଦେଇ କାଉଣ୍ଟର ଆଟାକ୍ । ଶିକ୍ଷାର କେନ୍ଦ୍ରୀକରଣ ନେଇ ସୋନିଆଙ୍କ ଆକ୍ଷପ ପରେ, NEPକୁ ବିସ୍ତୃତ ଗଣତାନ୍ତ୍ରିକ ଆଲୋଚନା ଉପରେ ଆଧାରିତ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋନିଆ ଶିକ୍ଷାର ବ୍ୟବସାୟୀକରଣ ଅଭିଯୋଗ କରୁଥିବା ବେଳେ, ବିଶ୍ୱବିଦ୍ୟାଳୟଗୁଡିକର ପାଣ୍ଠିର ଅଭାବ ଦୂର ହୋଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ବର୍ତ୍ତମାନ ଶିକ୍ଷା ନୀତିକୁ ନେଇ ସୋନିଆଙ୍କ ଥ୍ରୀ- ସି ଆଟାକ। ସେପଟେ ଶିକ୍ଷାର ରୂପାନ୍ତରର ପ୍ରକୃତ ଚିତ୍ର ଦେଇ ଧର୍ମେନ୍ଦ୍ରଙ୍କ ଜବାବ। ଇଂରାଜୀ ସମ୍ବାଦପତ୍ର ଦ ହିନ୍ଦୁରେ, ଉଭୟଙ୍କ ଲେଖା ପ୍ରକାଶିତ ହୋଇଛି। ପ୍ରଥମେ ସୋନିଆ ଗାନ୍ଧୀ, ବର୍ତ୍ତମାନ ଶିକ୍ଷା ନୀତିରେ ସେଣ୍ଟ୍ରାଲାଇଜେସନ, କମର୍ସିଆଲାଇଜେସନ ଏବଂ କମ୍ୟୁନାଲାଇଜେସନକୁ ନେଇ ଲେଖିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବର ଶିକ୍ଷା ନୀତିରେ ଥିବା ତ୍ରୁଟି, ବର୍ତ୍ତମାନ ଶିକ୍ଷାନୀତିରେ ସଶକ୍ତୀକରଣ ଏବଂ ପରିବର୍ତ୍ତନକୁ ନେଇ ଥିବା ଫୋକସ ଏବଂ ଭାରତୀୟ ଭାଷାକୁ ଦିଆଯାଉଥିବା ପ୍ରାଥମିକତାକୁ ନେଇ ଦେଇ ଆଲେଖ୍ୟ ଲେଖିଛନ୍ତି।
ଦେଶରେ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଛି ନୂଆ ଶିକ୍ଷା ନୀତି ୨୦୨୦। ଏହି ନୀତିରେ ଶିକ୍ଷାର କେନ୍ଦ୍ରୀକରଣକୁ କଡ଼ା ସମାଲୋଚନା କରିଛନ୍ତି ସୋନିଆ। ଗତ ୧୧ ବର୍ଷ ହେଲା ଶିକ୍ଷାରେ ଅନିୟନ୍ତ୍ରିତ କେନ୍ଦ୍ରୀକରଣ ହୋଇଛି। ଯାହା ଶିକ୍ଷା କ୍ଷେତ୍ରକୁ ନଷ୍ଟ କରୁଛି। ସେଣ୍ଟ୍ରାଲ ଆଡଭାଇଜରୀ ବୋର୍ଡ ଅଫ ଏଜୁକେସନ ବୈଠକ ୨୦୧୯ରୁ ବସି ନାହିଁ। କେନ୍ଦ୍ର ଓ ରାଜ୍ୟଗୁଡିକର ଶିକ୍ଷାମନ୍ତ୍ରୀଙ୍କୁ ନେଇ ଗଠିତ ହୋଇଛି ଏହି ବୋର୍ଡ। ଶିକ୍ଷାରେ ନୀତିଗତ ପରିବର୍ତ୍ତନ କରି ନୂଆ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡିକ ସହ ଆଲୋଚନା କରାଯାଇନଥିଲା। ଦେଶରେ ଶିକ୍ଷା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟର ବିଷୟ। କିନ୍ତୁ ଯାହ ଜଣା ପଡୁଛି କେନ୍ଦ୍ର ସରକାର ନିଜ କଥା ଛଡା ଆଉ କାହା କଥା ଶୁଣିବାକୁ ଚାହୁଁ ନାହାଁନ୍ତି। କେନ୍ଦ୍ର ସରକାର ୟୁଜିସିକୁ ନେଇ ଏକ ଡ୍ରାକୋନିଆନ୍ ଡ୍ରାଫ୍ଟ ଆଣିଛନ୍ତି। ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ୱ ବିଦ୍ୟାଳୟଗୁଡିକରେ କୂଳପତି ନିଯୁକ୍ତିରେ ରାଜ୍ୟର ଭୂମିକାରୁ ହଟାଇ ଦେଇଛନ୍ତି।
କେନ୍ଦ୍ର ସରକାର ନୂଆ ଶିକ୍ଷା ନୀତି ଜରିଆରେ ଶିକ୍ଷାର ବ୍ୟାବସାୟିକକରଣକୁ ପ୍ରୋତ୍ସାହିତ କରୁଛନ୍ତି। ୨୦୧୪ ପରଠାରୁ ଦେଶରେ ୮୯ ହଜାର ୪୪୧ ସରକାରୀ ସ୍କୁଲ ବନ୍ଦ ହେଲାଣି। ଏ ସମୟରେ ୪୨ ହଜାର ୯୪୪ ଘରୋଇ ସ୍କୁଲ ଖୋଲିଛି। ଦେଶର ଗରିବଙ୍କୁ, ଖର୍ଚ୍ଚ ବହୁଳ ଘରୋଇ ସ୍କୁଲରେ ପଢିବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି ବୋଲି ସୋନିଆ ଲେଖିଛନ୍ତି। ତୃତୀୟରେ ସରକାର ସାମ୍ପ୍ରଦାୟୀକରଣକୁ ଗୁରୁତ୍ବ ଦେଉଛନ୍ତି। ଆରଏସଏସ ଏବଂ ବିଜେପି ନିଜ ବିଚାରଧାରାକୁ ପ୍ରାଧାନ୍ୟ ଦେଇ ଶିକ୍ଷା ଜରିଆରେ ଏକ ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସୋନିଆ ଲେଖିଛନ୍ତି।
ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ, ଭାରତୀୟ ଶିକ୍ଷା ନୀତି ଇତିହାସରେ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦, ବିସ୍ତୃତ ଗଣତାନ୍ତ୍ରିକ ଆଲୋଚନା ଉପରେ ଆଧାରିତ। ଯାହା ଶିକ୍ଷାର ପୁନଃଜାଗରଣ କରିବ। ପୂର୍ବ ସରକାର ଶିକ୍ଷାକୁ ଅବହେଳା କରିଥିଲେ। ଦୁର୍ନୀତି ଓ ପରିଚାଳନାଗତ ତ୍ରୁଟି ବିଗତ ସରକରଗୁଡିକର ପ୍ରମୁଖ ବିଶେଷତା ଥିଲା। ବିଶ୍ୱବିଦ୍ୟାଳୟଗୁଡିକରେ ରହୁଥିଲା ପାଣ୍ଠିର ଅଭାବ। ଛତୁ ଫୁଟିଲା ଭଳି ଅନିୟନ୍ତ୍ରିତ ଭାବେ ଖୋଲୁଥିଲା ଘରୋଇ ଶିକ୍ଷାନୁଷ୍ଠାନ।୨୦୦୯ର ଡିମଡ ୟୁନିର୍ଭସିଟି ସ୍କାଣ୍ଡାଲ ଉଦାହରଣ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ସମୀକ୍ଷା ନ କରି ୪୪ଟି ଘରୋଇ ଅନୁଷ୍ଠାନକୁ ଡିମଡ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା।
ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ବଦଳରେ ଏକ ନିୟନ୍ତ୍ରଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଥିଲା ୟୁଜିସି ଏବଂ ଏଆଇସିଟିଇ। ବିଶ୍ୱବିଦ୍ୟାଳୟରେ ଶୀର୍ଷ ପଦବୀରେ ନିଯୁକ୍ତି ରାଜନୈତିକ ଆନୁଗତ୍ୟ ଉପରେ ଆଧାରିତ ହେଉଥିଲା। ପୁସ୍ତକଗୁଡିକରେ ସହିଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଏବଂ ବୀର ସବରକରଙ୍କ ଭଳି ସଂଗ୍ରାମୀଙ୍କୁ ଉପେକ୍ଷା କରାଯାଇଛି। ଭାରତୀୟ ସାଂସ୍କୃତିକ ବିବିଧତା ଏବଂ ବୌଦ୍ଧିକ ପରମ୍ପରାକୁ ଜାଣିଶୁଣି ଅଣଦେଖା କରାଯାଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି। ନୂଆ ଶିକ୍ଷା ନୀତି ୨୦୨୦ ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଭବିଷ୍ୟତ ଲୋକଙ୍କ ପାଇଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।