ଭାରତର ନିଷ୍ପତ୍ତି ଯୋଗୁ ସିଙ୍ଗାପୁରବାସୀ ହଟହଟା, ହୋଟେଲରେ ମହଙ୍ଗା ହେଲା ରୁଟି

ସିଙ୍ଗାପୁର: ଭାରତ ଗହମ ରପ୍ତାନିକୁ ନେଇ କଟକଣା ଲଗାଇବା ପରେ ପଡ଼ୋଶୀ ଦେଶମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସିଙ୍ଗାପୁରରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ମେ’ ମାସରେ ଭାରତ ଗହମ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ପ୍ରଭାବ ବର୍ତ୍ତମାନ ସିଙ୍ଗାପୁରର ହୋଟେଲ ଆଉ ଘରର ରୋଷେଇଶାଳାରେ ପଡ଼ିଛି। ଭାରତ ତାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ସିଙ୍ଗାପୁର ଏବେ କାନାଡ଼ା ଏବଂ ଆମେରିକାରୁ ମଇଦା କିଣିବାକୁ ବାଧ୍ୟ ହେଉଛି।

ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ ରହୁଥିବା ପଞ୍ଜାବୀ ସଂପ୍ରଦାୟର ଲୋକମାନେ ବିଶେଷ କରି ଗହମ ତିଆରି ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ଏଣୁ ଏବେ ଗହମ ଆସିବା ବନ୍ଦ ହୋଇଯିବା ଫଳରେ ସେମାନେ ଏହାର ପରିଣାମ ଭୋଗୁଛନ୍ତି। ସୁପର ମାର୍କେଟ ଚେନ୍‌ ଫେୟାରପ୍ରିସ୍‌ର କହିବା ମୁତାବକ, ଗତ କିଛି ସପ୍ତାହ ମଧ୍ୟରେ ଚାହିଦା ବଢ଼ୁଥିବା ହେତୁ ଗହମ ଅଟାର ଅଭାବ ଦେଖାଦେଇଛି। ଭାରତ ଗହମ ଓ ଅଟା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ହେତୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି।

ଆଉ ଏକ ରିପୋର୍ଟ ଅନୁଯାୟୀ, ଫେୟାରପ୍ରାଇସ୍‌ ଯୋଗାଣକାରୀମାନେ ବର୍ତ୍ତମାନ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, କାନାଡ଼ା ଏବଂ ଆମେରିକା ଆଦି ଦେଶରୁ ଗହମ କିଣୁଛନ୍ତି। ଯାହାର ପ୍ରଭାବ ସିଧା ଗ୍ରାହକଙ୍କ ପକେଟ୍‌ ଉପରେ ପଡ଼ୁଛି। ପୂର୍ବରୁ ସିଙ୍ଗାପୁରରେ ଗହମ କିଲୋ ପ୍ରତି ୨୮୩ ଭାରତୀୟ ଟଙ୍କା ଥିବାବେଳେ ଏବେ ଦୁବାଇରୁ ଆସୁଥିବା ଅଟା ପାଇଁ ପ୍ରତି କିଲୋଗ୍ରାମ୍‌ ପାଇଁ ୮୫୨ ଟଙ୍କା ଦେବାକୁ ପଡ଼ୁଛି।

Also Read: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

You might also like