ଇଜିପ୍ଟର ବିଲୁପ୍ତ ଶାଗୁଣା ଚୋରା ଚାଲାଣ ର‍୍ୟାକେଟ୍‌ର ପର୍ଦ୍ଦାଫାଶ; ପ୍ଲାଷ୍ଟିକ ଥଳି ଭିତରେ ଲୁଚାଇ ନେଇ ଯାଉଥିଲେ ବୃଦ୍ଧ! ଏମିତି ଧରିଲା ବନ ବିଭାଗ

ମଧ୍ୟ ପ୍ରଦେଶର ଖଣ୍ଡୱା ଜିଲ୍ଲାରେ ପୋଲିସ ଏକ ଆନ୍ତଃରାଜ୍ୟ ଶାଗୁଣା ଚୋରା ଚାଲାଣ ର‍୍ୟାକେଟର ପର୍ଦ୍ଦାଫାଶ କରିଛି। ଏଥି ସହିତ ଉତ୍ତର ପ୍ରଦେଶର ଉନ୍ନାଓରେ ରହୁଥିବା ୬୦ ବର୍ଷର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଇଜିପ୍ଟର ୭ଟି ବିଲୁପ୍ତ ଶାଗୁଣାଙ୍କୁ କାନପୁରରୁ ମହାରାଷ୍ଟ୍ରର ମାଲେଗାଓଁ ପର୍ଯ୍ୟନ୍ତ ଚୋରା ଚାଲାଣ କରାଯାଉଥିଲା। ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ଓ ବନ ବିଭାଗ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୁଲତାନପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସର ଦ୍ୱିତୀୟ ଶ୍ରେଣୀ ସ୍ଲିପର କୋଚ୍‌ରେ ଯାତ୍ରୀମାନେ ଦୁର୍ଗନ୍ଧ ଏବଂ ପକ୍ଷୀମାନଙ୍କର ଶବ୍ଦ ଆସୁଥିବା ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଯାହା ପରେ ଅଧିକାରୀମାନେ ସତର୍କ ହୋଇ ଯାଇଥିଲେ। ରେଲୱେ ପ୍ରୋଟେକସନ ଫୋର୍ସ (ଆରପିଏଫ୍) ଏବଂ ରାଜ୍ୟ ବନ ବିଭାଗର ଏକ ମିଳିତ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋଚ୍‌କୁ ଚାରିପଟୁ ଘେରି ଯାଇଥିଲା ଏବଂ ଭିତରକୁ ଯାଇ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ପ୍ଲାଷ୍ଟିକ ଥଳି ଭିତରୁ ଶାଗୁଣା ମିଳିଥିଲେ।

ଖଣ୍ଡୱା ବନ ବିଭାଗର ବରିଷ୍ଠ ଅଧିକାରୀ ଅନିଲ ଶୁକ୍ଳା କହିଛନ୍ତି ଯେ ଆମକୁ ଖଣ୍ଡୱା ଆରପିଏଫରୁ ଏକ କଲ ଆସିଥିଲା। ସେପଟୁ କେହି ଜଣେ କହିଥିଲେ ଯେ ଜଣେ ବ୍ୟକ୍ତି ଇଜିପ୍ଟର ଶାଗୁଣା ସହିତ ଅଛନ୍ତି। ଖବର ପାଇ ଆମେ ତୁରନ୍ତ ସେଠାରେ ପହଞ୍ଚିଥିଲୁ। ବନ ବିଭାଗ ଏବଂ ଆରପିଏଫର ମିଳିତ ଟିମ୍‌ ଟ୍ରେନରେ ଚଢ଼ାଉ କରିଥିଲେ ଏବଂ ସେଠାରୁ ଫରିଦ ଶେଖ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଆମେ ତାଙ୍କ ପାଖରୁ ଇଜିପ୍ଟର ୭ଟି ଶାଗୁଣା ଜବତ କରିଛୁ।

ଏହି ବ୍ୟକ୍ତିଙ୍କୁ ପକ୍ଷୀମାନଙ୍କ ସହିତ ଥାନାକୁ ନିଆଯାଇଥିଲା। ଚୋରା ଚାଲାଣକାରୀ ଫରିଦ ଶେଖଙ୍କୁ ପଚରାଉଚରା ବେଳେ ସେ କହିଥିଲେ ଯେ କାନପୁର ଷ୍ଟେସନରେ ସମୀର ଖାନ ତାଙ୍କୁ ଏହି ଶାଗୁଣାଗୁଡ଼ିକ ଦେଇଥିଲେ। ସେ କାନପୁରରେ ରୁହନ୍ତି। ଖାନ ଶାଗୁଣାମାନଙ୍କୁ ମାଲଗାଓଁ ନେଇଯିବାକୁ କହିଥିଲେ। ସମୀର ଖାନ ଶାଗୁଣାମାନଙ୍କୁ ନେଇ ଯିବା ପାଇଁ ଶେଖଙ୍କୁ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ଲୋଭ ଦେଖାଇଥିଲେ। ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅଧୀନରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରି ଦିଆଯାଇଛି। ଏଥି ସହିତ ଜବତ ଶାଗୁଣାମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.