ଜମ୍ମୁ କଶ୍ମୀର : ଖାଇକୁ ଖସିଲା କାର୍‌, ୫ ପିଲା ସମେତ ୮ ମୃତ

ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଖାଇରେ ଖସିପଡିଥିବା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୫ ଜଣ ପିଲା ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ଦକ୍ଷିଣ କଶ୍ମୀର ଜିଲ୍ଲାର କୋକରନାଗରୁ ଡକ୍ସୁମ ଅଞ୍ଚଳ ନିକଟରେ ହୋଇଛି ।

ପୋଲିସ କହିବା ମୁତାବକ, ଗାଡି ନଂ JK03H9017 ସୁମୋ ଗାଡି ଜମ୍ମୁ କିସ୍ତଓ୍ଵାଡାରୁ ଯାଉଥିବା ବେଳେ ଡକ୍ସୁମ ନିକଟରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ପିଲା, ୨ ମହିଳା ଏବଂ ଜଣେ ପୁରୁଷ ସାମିଲ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ସହିତ ମାମଲାର ଯାଞ୍ଚ କରୁଛି । ତେବେ ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ତେବେ ପୋଲିସ ସୂଚନା ଅନୁଯାୟୀ, କାରରେ ଜଣେ ପୋଲିସ କର୍ମୀ ଇମତିଆଜ ଅହମଦ ରହିଥିଲେ । ସେ ନିଜ ପିଲା ଏବଂ ୨ ମହିଳାଙ୍କ ସହିତ କିସ୍ତଓ୍ଵାଡାରୁ ଅନନ୍ତନାଗ ରୋଡରେ ଯାଉଥିବା ବେଳେ ଅରାଶାନ ନିକଟରେ ଦୁର୍ଘଟଣା ହୋଇଛି । ଏହାପରେ ଗାଡିଟି ଖାଇକୁ ଖସିପଡିଥିଲା । ପୋଲିସ ମୃତଦେହ ଜବତ କରି ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ସୋମବାର ଦିନ ମଧ୍ୟ କଶ୍ମୀରର ଗନ୍ଦରବଳ ଜିଲ୍ଲାର ଜୋଜିଲା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଏକ କାର ଖାଇରେ ଖସିପଡିବା ଯୋଗୁଁ ବେଙ୍ଗାଲୁରୁର ୩ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ମଧ୍ୟ ।