ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ ଏକନାଥ ସିନ୍ଦେ, ଗୁରୁବାର ନେବେ ଶପଥ!

ଶେଷରେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି ଏକନାଥ ସିନ୍ଦେ । ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେ ଆଗାମୀ ମହାୟୁତି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ହଁ ଭରିଛନ୍ତି । ଗୁରୁବାର ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅଜିତ ପାୱାରଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏହାପରେ ମନ୍ତ୍ରୀମଣ୍ଡଳ ଗଠନ କରାଯିବ ବୋଲି ଜଣାପଡ଼ିଛି ।

ସୂତ୍ରରୁ ପ୍ରକାଶ ଯେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ହେବ ।

ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନଡିଏର ଅନ୍ୟାନ୍ୟ ପ୍ରମୁଖ ନେତା ଯୋଗଦେବେ ବୋଲି ଆଶା କରାଯାଉଛି । ଶପଥ ସମାରୋହ ପରେ ମହାୟୁତିର ୩ ସହଯୋଗୀ ବିଜେପି, ଶିବସେନା ଓ ଏନସିପି ପାଇଁ କ୍ୟାବିନେଟ ବିଭାଗ ଏବଂ ପଦଗୁଡ଼ିକ ଚୂଡାନ୍ତ ହେବ ।

ବିଜେପିକୁ ୨୧-୨୨ ବିଭାଗ ମିଳିବାର ସମ୍ଭାବନା ଥିବାବେଳେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ୯-୧୦ କ୍ୟାବିନେଟ ପଦ ମିଳିବାର ସମ୍ଭାବନା ରହିଛି । ସୂତ୍ର ଅନୁସାରେ, ଶିବସେନା ୧୬ଟି ବିଭାଗ ମାଗିଥିଲା, ​​କିନ୍ତୁ ୧୨ ପାଇବାର ସମ୍ଭାବନା ରହିଛି ।

ବିଜେପି ନିଜ ପାଖରେ ଗୃହ ଏବଂ ରାଜସ୍ୱ ବିଭାଗ ସହିତ ବାଚସ୍ପତି ପଦ ବଜାୟ ରଖିପାରେ । ଅନ୍ୟପକ୍ଷରେ, ଏନସିପି ଅର୍ଥ ବିଭାଗ ସହ ଡେପୁଟି ସ୍ପିକର ପଦବୀ ପାଇପାରେ । ଶିବସେନା ସହରୀ ବିକାଶ ବିଭାଗ ପାଇବାର ସମ୍ଭାବନା ଥିବା ସୂତ୍ରରୁ ଜଣାଯାଇଛି ।

ବୁଧବାର ସକାଳ ୧୦ଟାରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଧାୟକ ଦଳର ନେତା ଚୟନ ହେବେ ।

କହି ରଖୁଛୁ, ଆଜି ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।