ସାନ ଭାଇର ମୃତ୍ୟୁ ଖବର ଶୁଣି ଘରୁ ବାହାରିଯାଇଥିଲେ ବଡ଼ ଭାଇ, ଅଧା ବାଟରେ ଦୁର୍ଘଟଣାରେ ହେଲା ମୃତ୍ୟୁ

ସାନ ଭାଇର ମୃତ୍ୟୁ ଖବର ଶୁଣି ଘରୁ ବାହାରିଗଲେ ବଡ ଭାଇ। ଆଉ ଅଧା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ। ଏହି ଘଟଣା ପରେ ପରିବାରର ଦୁଃଖର ପାହାଡ ଖସିପଡିଛି । ଘରକୁ ଫେରୁଥିବା ବେଳେ ସାନ ଭାଇର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଶୁଣି ଘରୁ ବଡ ଭାଇ ବାହାରି ଯାଇଥିଲେ। ହେଲେ ବାଟରେ ଗାଡିର ଚକା ଫାଟି ଯିବାରୁ ଗାଡି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ହୋଇଥିଲା। ଫଳରେ ବଡ ଭାଇର ମଧ୍ୟ ଜୀବନ ଚାଲିଯାଇଥିଲା। ମାତ୍ର ଅଧ ଘଣ୍ଟାରେ ଦୁଇ ଭାଇଙ୍କର ଜୀବନ ଚାଲି ଯାଇଥିଲା ।
ସୂଚନା ମୁତାବକ, ଦେବରିୟା ଜିଲ୍ଲାର ଥାନା ଭାଟପାରରାଣୀର ଛତରପୁର ଗାଁର ନିବାସୀ ସ୍ୱର୍ଗତ ଭାଗିରଥୀ ଗୌଡଙ୍କର ୫ ପୁଅ । ରମାଶଙ୍କର ଗୌଡ, ଉମାଶଙ୍କର ଗୌଡ, ଗୌରୀ ଗୌଡ, ସୀତାରାମ ଗୌଡ ଏବଂ ଦିଲ୍ଲୀପ ଗୌଡ । ମଙ୍ଗଳବାର ଦିନ ଦିଲ୍ଲୀପ ଗୌଡ ଗାଁର ଜଣେ ବନ୍ଧୁଙ୍କ ସହିତ ବାଇକରେ ବିହାରର ଜିରାଦେଇକୁ ବିବାହ ଉତ୍ସବକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଦୁର୍ଘଟଣା ହୋଇଥିଲା । ଏମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଦିଲ୍ଲୀପ ଗୌଡଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଡ ଭାଇ କାର୍ ଧରି ଯାଇଥିଲେ । ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଥିଲେ । କିନ୍ତୁ ବାଟରେ କାରର ଚକା ଫାଟିଯିବାରୁ କାର ଟି ଅନିୟନ୍ତ୍ରିତ ହୋଇ ଖାଲରେ ଗଳି ପଡିଥିଲା। ଫଳରେ ଦିଲ୍ଲୀପଙ୍କ ବଡ ଭାଇ ଉମାଶଙ୍କର ଗୌଡଙ୍କର ମୃତ୍ୟୁ ହୋଇଥିଲା । ଉମାଶଙ୍କରଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ହେବା ପରେ ପରିବାରର ଦୁଃଖର ପାହାଡ ଖସିପଡିଛି ।
ଭାଇମାନଙ୍କ ମଧ୍ୟରେ ଉମାଶଙ୍କର ଗୌଡ ଦ୍ୱିତୀୟ ଏବଂ ଏହା ପୂର୍ବରୁ କାନପୁରର ବନ୍ଧୁକ କାରଖାନାରେ କାମ କରୁଥିଲେ। ଅବସର ପରେ ସେ ନିଜ ପରିବାର ସହିତ କାନପୁରରେ ରହୁଥିଲେ। ଦିଲୀପ ଗୌଡର ଭାଇମାନଙ୍କ ମଧ୍ୟରୁ ସାନ ଥିଲେ ଏବଂ ଦେଓରିଆ ଗାଁରେ ରୋଷେୟା ଭାବେ କାମ କରୁଥିଲେ । ତାଙ୍କ ଝିଅର ବିବାହ ଆରବର୍ଷ ହୋଇଥାନ୍ତା । କିନ୍ତୁ ଦୁଇ ଭାଇଙ୍କ ଅକାଳ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି ।