ମୁମ୍ବାଇ: ବହୁ ମହଲା ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତର ଆହତ ବୃଦ୍ଧଙ୍କ ମୃତ୍ୟୁ, ୧ ଆହତ

ମହାରାଷ୍ଟ୍ରର ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଅନ୍ଧେରୀ ପଶ୍ଚିମସ୍ଥିତ ଏକ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଭୀଷଣ ନିଆଁ ଲାଗିଯାଇଛି । ବିଲ୍ଡିଂର ୧୧ତମ ମହଲାରେ ଗତ ରାତି ପ୍ରାୟ ୧୦ଟା ବେଳେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଏଥିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ତେବେ ହସ୍ପିଟାଲରେ ଚିକିତ୍ସା ସମୟରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ଭୟାବହ ଅଗ୍ନିକାଣ୍ଡ ଦେଖି ବିଲ୍ଡିଂର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଥିଲେ ।

ବିଲ୍ଡିଂରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି, ନିଆଁ ଲାଗିବାର ତୁରନ୍ତ ପରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ୧୫ ମିନିଟ୍ ଭିତରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଥିଲା । ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି ।

ସେପଟେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାର ଯାଞ୍ଚ କରୁଛନ୍ତି ।