ଇମ୍ରାନ ଖାନଙ୍କୁ ଲାଗିଲା ବଡ ଝଟକା, ଅଯୋଗ୍ୟ ଘୋଷଣା କରି ସାଂସଦ ପଦ ରଦ୍ଦ କଲେ ନିର୍ବାଚନ କମିଶନ

ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ଏହାପରେ ଇମ୍ରାନ ଆଉ ସଂସଦର ସଦସ୍ୟ ରହିପାରିବେ ନାହିଁ। ଇମ୍ରାନ ଖାନ ତୋଶଖାନା ବା ସରକାରୀ ଉପହାର ଜମା ହେଉଥିବା ପ୍ରତିଷ୍ଠାନକୁ ମିଥ୍ୟା ତଥ୍ୟ ଦେଇଥିଲେ। ଭୁଲ ତଥ୍ୟ ଦାଖଲ କରିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ଇମ୍ରାନଙ୍କ ସମର୍ଥକ ମାନେ ଏହି ଘୋଷଣା ପରେ ନିର୍ବାଚନ ଆୟୋଗ ସମ୍ମୁଖରେ ଗୁଳିମାଡ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଇସଲାମାବାଦରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପାକିସ୍ତାନର ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ୪ଜଣିଆ କମିଟି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ସାଂସଦ ପଦ ରଦ୍ଦ ସହିତ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ସେପଟେ ଇମ୍ରାନଙ୍କ ସମର୍ଥକ ମାନେ ଏହି ଘୋଷଣା ପରେ ନିର୍ବାଚନ ଆୟୋଗ ସମ୍ମୁଖରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ତେଣୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଇମ୍ରାନ ଖାନଙ୍କ ସମର୍ଥକ ।

ସୂଚନାଯୋଗ୍ୟ, ୨୦୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାପରେ ବିଭିନ୍ନ ଦେଶ ଗସ୍ତ କରିଥିଲେ ଇମ୍ରାନ ଖାନ । ବିଭିନ୍ନ ଦେଶ ଗସ୍ତ ବେଳେ ସେଠାକାର ସରକାର ଦାମୀ ଉପହାର ଦେଇଥିଲେ । ବିଦେଶରୁ ମିଳୁଥିବା ଉପହାର ଗୁଡିକୁ ତୋଶଖାନାରେ ଜମା ରଖୁଥିଲେ ଇମ୍ରାନ ଖାନ । କିନ୍ତୁ ପରେ ଇମ୍ରାନ ଖାନଙ୍କ ସରକାର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରି ସେହିସବୁ ଉପହାର ଗୁଡିକୁ ଶସ୍ତାରେ ନିଲାମ କରିଦେଇଥିଲେ ।

ନିୟମ ଅନୁସାରେ ରାଷ୍ଟ୍ର ମୁଖ୍ୟଙ୍କୁ ମିଳିଥିବା ଦାମୀ ଉପହାର ତୋଶଖାନାକୁ ଯିବ। କିନ୍ତୁ ଶାସକ ଚାହିଁଲେ ଏହି ଉପହାରଗୁଡ଼ିକୁ ୫୦% ରିହାତିରେ କିଣି ପାରିବେ। ଇମ୍ରାନ ଖାନ ଦାମୀ ଘଣ୍ଟା, ଗହଣା, ଡିଜାଇନର ହ୍ୟାଣ୍ଡବ୍ୟାଗକୁ ରିହାତି ଦରରେ କିଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ବିକ୍ରି କରି ନିଜ ପଦବୀର ଅପବ୍ୟବହାର କରିଥିଲେ। ଏଥିମଧ୍ୟରୁ ଗୋଟିଏ ଘଣ୍ଟାକୁ ୧୫.୪ କୋଟି ଟଙ୍କାରେ ବିକ୍ରି କରିଥିଲେ ଇମ୍ରାନ ବୋଲି ଖବର ମିଳିଛି । ଯାହାକୁ ନେଇ ବିରୋଧୀ ମାନେ ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିବା ସହିତ ଯାଚିକା ଦାଖଲ କରିଥିଲେ । ତେବେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ନିର୍ବାଚନ ଆୟୋଗ । ତେଣୁ ଏହି ମାମଲାରେ ସେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

Also Read : ସୁଟକେସ୍‌ରେ ମୃତଦେହ ଘଟଣା : ଟିଭି ଦେଖି ମୁଣ୍ଡକୁ ଆସିଲା ବିଚକ୍ଷଣ ବୁଦ୍ଧି, ତା’ ପରେ ଏମିତି କଲା ସ୍ୱାମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.