ଗୁଜରାଟରେ ବିଜେପିକୁ ଲାଗିଲା ଶକ୍ତ ଝଟ୍‌କା, ନିର୍ବାଚନ ଅୟୋଗ ଶୁଣିଲେନି ଗୁହାରି

ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ଗୁଜରାଟରେ ହେବାକୁ ଯାଉଛି ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ୧୨ ନଭେମ୍ବର ଛୁଟି ଦିନରେ ନାମାଙ୍କନ ଭରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁହାରି କରିଥିଲା । ଏହି ଦିନ ସରକାରୀ ନିୟମ ଅନୁସାରେ ମାସର ୨ୟ ଏବଂ ୪ର୍ଥ ଶନିବାର ସରକାରୀ ଛୁଟି ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପିର ଆବେଦନକୁ ନାମଞ୍ଜୁର କରିଥିଲେ । ସୂଚନା ଅନୁସାରେ ଗୁଜରାଟରେ ଡିସେମ୍ବର ୧ ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୪ ନଭେମ୍ବରକୁ ନାମାଙ୍କନର ଶେଷ ତାରିଖ ରଖାଯାଇଛି ।

ଗୁଜରାଟରେ ୧୮୨ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ,ଏଥର ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ଏଥିରେ ୧ ଏବଂ ୫ ଡିସେମ୍ବର ରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୫ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ନାମାଙ୍କନର ଶେଷ ତାରିଖ ନଭେମ୍ବର ୧୪ରେ ଶେଷ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ରହିବ । ୨ୟ ପର୍ଯ୍ୟାୟରେ ନାମାଙ୍କନ ନଭେମ୍ବର ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ରହିବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୨୧ ପର୍ଯ୍ୟନ୍ତ ରହିବ ।

ଗୁଜରାଟରେ ଏଥର ୫୧୭୮୨ ମତଦାନ କେନ୍ଦ୍ରରେ ୪ କୋଟି ୯୦ ଲକ୍ଷ ମତଦାତା ମତଦାନ କରିବେ । ଏଥର ଗୁଜରାଟରେ ୩,୨୪,୪୨୨ ନୂଆ ମତଦାତା ମତଦାନ କରିବାକୁ ଯାଉଛନ୍ତି । ଏହିଥର ନିର୍ବାଚନରେ ନିର୍ବାଚନ ଆୟୋଗ କିଛି ନୂଆ ଢ଼ଙ୍ଗରେ ନିର୍ବାଚନ ପରିଚାଳନା କରିବାକୁ ଯାଉଛି । ଏଥର ୧୨୭୪ ଟି ପୋଲିଂ ଷ୍ଟେସନକୁ କେବଳ ମହିଳା ଏବଂ ସୁରକ୍ଷା କର୍ମୀଙ୍କ ଦ୍ୱାରା ପରି ଚାଳନା କରାଯିବ । ୧୮୨ ମତଦାନ କେନ୍ଦ୍ରରେ ଜନସେବା ବିଭାଗ ଦ୍ୱାରା ଭୋଟର ମାନଙ୍କୁ ସ୍ୱାଗତ କରାଯିବ । ଏମିତି କି ୩୩ଟି ମତଦାନ କେନ୍ଦ୍ରରେ କମ୍‌ ବୟସର କର୍ମଚାରୀମାନେ ପରିଚାଳନା କରିବେ ।

ସୂଚନାନୁସାରେ, ଗୁଜରାଟରେ ବର୍ତ୍ତମାନ ନିର୍ବାଚନୀ ପାଣିପାଗ ସରଗରମ ରହିଛି। ଏହାରି ଭିତରେ ବିଜେପି ପୁଣି ୧୮୨ ଆସନରୁ ୧୬୦ ଆସନ ଜିତି ସରକାର ଗଠନର ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ କଂଗ୍ରେସ ବି ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ମସୁଧା କରୁଛି । ଏହି ଦୁଇ ଜଣଙ୍କ ଲଢ଼େଇ ଭିତରେ ଆମ୍‌ ଆଦ୍‌ମୀ ପାର୍ଟି ଏକ ନୂଆ ବିକଳ୍ପ ହେବାପାଇଁ ଜୋରସୋରରେ ଅଣ୍ଟା ଭିଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.