ଦିଲ୍ଲୀ ନିର୍ବାଚନ ୨୦୨୫: ଏଥର ସରକାର ବାଛିବେ ୧.୫୫ କୋଟି ଭୋଟର, ଆସିଲା ଚୂଡ଼ାନ୍ତ ଭୋଟର ତାଲିକା

ଏଥର ଦିଲ୍ଲୀର ସରକାର ବାଛିବେ ୧.୫୫ କୋଟି ଭୋଟର । ନିର୍ବାଚନ ଆୟୋଗ (EC) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଆୟୋଗଙ୍କ ମୁତାବକ, ଦିଲ୍ଲୀ ନିର୍ବାଚନରେ ଏଥର ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୧,୭୩,୯୫୨ । ଏହିପରି ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୧,୨୬୧ ରହିଛି ।

କହି ରଖୁଛୁ, ତାଲିକାରୁ ଭୋଟରଙ୍କ ନାମ ହଟାଇବା ଅଭିଯୋଗ ମଧ୍ୟରେ ନିର୍ବାଚନ ଆୟୋଗ ଦିଲ୍ଲୀ ମତଦାତାଙ୍କର ଅନ୍ତିମ ତାଲିକା ଜାରି କରିଛନ୍ତି । କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିକାରୁ ଭୋଟରଙ୍କ ନାମ ହଟାଇବା ପାଇଁ ଆବେଦନ ଦାଖଲ କରାଯାଇଥିବା ଅଭିଯୋଗ ଆଣିଥିଲେ ।

ବର୍ତ୍ତମାନ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବା ପରେ ବହୁତ ଜଲଦି ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇପାରେ । ଆୟୋଗଙ୍କ ତରଫରୁ ଘନ ଘନ ବୈଠକ ବସୁଛି । କୁହାଯାଉଛି ଯେ ଜାନୁୟାରୀ ୬ରୁ ୧୦ ମଧ୍ୟରେ କେତେବେଳେ ବି ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଯଦିଓ ବର୍ତ୍ତମାନ ତାରିଖକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଆସନ୍ତା ଫେବୃୟାରୀ ୨୩ରେ ଶେଷ ହେବ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଗତ ନିର୍ବାଚନ କଥା ଦେଖିଲେ, ୨୦୨୦ ଜାନୁୟାରୀ ୬ରେ ତାରିଖ ଘୋଷଣା କରାଯାଇଥିଲା । କୌଣସି ରାଜ୍ୟର ବିଧାନସଭା ନିର୍ବାଚନର ପ୍ରକ୍ରିୟା ପାଇଁ ସର୍ବନିମ୍ନ ୩୫ ଦିନ ଆବଶ୍ୟକ ହୋଇଥାଏ । ଏମିତିରେ ଜାନୁୟାରୀ ୬ରୁ ୧୦ ମଧ୍ୟରେ ତାରିଖ ଘୋଷଣା ହେଲେ ସର୍ବନିମ୍ନ ସମୟ ମିଳିପାରିବ ।

ଏପଟେ ମୁଖ୍ୟ ନିର୍ବାଚନ କମିଶନର ଫେବୃୟାରୀ ୧୮ରେ ଅବସର ନେଉଛନ୍ତି । ଏମିତିରେ ଫେବୃୟାରୀ ୧୮ ପୂର୍ବରୁ ବିଧାନସଭା ନିର୍ବାଚନ ହେବାର ପୂରା ସମ୍ଭାବନା ରହିଛି ।