ଆଜି ଘୋଷଣା ହେବ ଜମ୍ମୁ-କାଶ୍ମୀରର ନିର୍ବାଚନ ତାରିଖ । ଏହା ସହିତ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ଅପରାହ୍ନ ୩ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନୀ ସୂଚୀ ଘୋଷଣା କରିବେ ।
୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିକଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜମ୍ମୁ-କାଶ୍ମୀର ଏବଂ ହରିୟାଣାର ଅଧିକାରୀମାନଙ୍କ ସହିତ ବୈଠକ ମଧ୍ୟ କରିଥିଲେ ।
ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ମଧ୍ୟରୁ ବର୍ତ୍ତମାନ ତିନୋଟି ଖାଲି ରହିଛି । ବିଜେପିର ୪୧ ଜଣ ବିଧାୟକ ରହିଥିବା ବେଳେ କଂଗ୍ରେସର ୨୯ ଏବଂ ଜେଜେପିର ୧୦ ଜଣ ରହିଛନ୍ତି । ଏହିପରି INLD ଓ HLPରୁ ଜଣେ ଲେଖାଏ ବିଧାୟକଙ୍କ ସହ ପାଞ୍ଚ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି ।
୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଥିଲା । ସେବେଠାରୁ ସେଠାକାର ରାଜନୈତିକ ଦଳଗୁଡ଼ିକ କ୍ରମାଗତଭାବେ ରାଜ୍ୟ ମାନ୍ୟତା ପ୍ରତ୍ୟାବର୍ତ୍ତନ ପାଇଁ ଦାବି କରିଆସୁଥିଲେ । ସରକାର ବାରମ୍ବାର କହୁଥିଲେ ଯେ ପ୍ରଥମେ ନିର୍ବାଚନ ହେବ ଏବଂ ପରେ ରାଜ୍ୟ ମାନ୍ୟତା ପୁନଃସ୍ଥାପନ କରାଯିବ । ଜମ୍ମୁ-କାଶ୍ମୀରରେ ତିନି କିମ୍ବା ଚାରୋଟିି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇପାରେ ।