ଚଳନ୍ତା କାର୍ ଉପରେ ଭାଙ୍ଗି ପଡ଼ିଲା ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଗଲା ପୂରା ପରିବାର
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ମଧ୍ୟରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ଏଠାରେ ଏକ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟ ଚଳନ୍ତା କାର୍ ଉପରେ ଭାଙ୍ଗି ପଡ଼ିଛି । ସୌଭାଗ୍ୟବଶତଃ, କାର୍ରେ ଥିବା ପୂରା ପରିବାର ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଏହି ଘଟଣା ଘଟିଛି ଶ୍ରୀଗଙ୍ଗାନଗରର ଚହଲ ଚୌକ ଅଞ୍ଚଳରେ । କୁହାଯାଉଛି, ଯେତେବେଳେ କାର୍ ଉପରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଥିଲା, ସେହି ସମୟରେ ବିଦ୍ୟୁତ୍ କଟ୍ ରହିଥିଲା, ଯାହାଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଦୁର୍ଘଟଣାରେ ସମସ୍ତ ଲୋକ ସୁରକ୍ଷିତ ବର୍ତ୍ତିଯାଇଛନ୍ତି । ପୂରା ଘଟଣା ସେଠାରେ ଲାଗିଥିବା ସିସିିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।
ଏହିପରି ଗତ ଜୁନ୍ ୨୮ରେ ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଠାରେ ଟର୍ମିନାଲ୍-୧ରେ ପାର୍କିଂ ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୬ ଜଣ ଲୋକ ଆହତ ହୋଇଥିଲେ । ସକାଳ ୫ଟା ୩୦ରେ ବିଜୁଳି, ଘଡ଼ଘଡ଼ି ମାରିବା ପରେ ପାର୍କିଂ ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ୮ରୁ ୧୦ଟି ଗାଡ଼ି ଏହା ତଳେ ଚାପି ହୋଇ ଯାଇଥିଲା ।