ନବମ ଶ୍ରେଣୀ ଛାତ୍ରଙ୍କ କମାଲ୍, ମାତ୍ର ୪୫ ହଜାର ଟଙ୍କାରେ ବନାଇଲେ ରୟାଲ ଏନଫିଲ୍ଡ ଇଲେକ୍ଟ୍ରିକ ବାଇକ୍
ନୂଆଦିଲ୍ଲୀ : ଦିଲ୍ଲୀର ସୁଭାଷ ନଗର ଅଞ୍ଚଳରେ ରହୁଥିବା ଜଣେ ନବମ ଶ୍ରେଣୀର ଛାତ୍ର କରି ଦେଖାଇଛନ୍ତି କମାଲ୍ । ମାତ୍ର ୪୫ ହଜାର ଟଙ୍କାରେ ନିର୍ମାଣ କରି ଦେଖାଇଛନ୍ତି ଏକ ରୟାଲ ଏନ୍ଫିଲ୍ଡର ଇଲେକ୍ଟ୍ରିକ ବାଇକ୍ । ସବୁଠୁ ବଡ଼ କଥା ହେଉଛି ଏହାକୁ ଥରେ ଚାର୍ଜ କଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।
ଏନ୍ଆଇ ରିପୋର୍ଟ ଅନୁଯାୟୀ, ସର୍ବୋଦୟ ବାଳ ବିଦ୍ୟାଳୟରେ ପଢ଼ୁଥିବା ୧୫ ବର୍ଷ ବୟସ୍କ ଛାତ୍ର ରାଜନ ଏହା କରି ଦେଖାଇଛନ୍ତି । କୋଭିଡ ମହାମାରୀ ଲକ୍ଡାଉନ ସମୟରେ ଦୀର୍ଘଦିନର ଛୁଟି ସେ ଏହି ଏନ୍ଫିଲ୍ଡ ଗାଡ଼ି ବନାଇବାରେ ବିତାଇଥିଲେ ।
ରାଜନଙ୍କ କହିବା ଅନୁଯାୟୀ ସେ ଏହି ବାଇକ୍ ତିଆରି କରିବା ପାଇଁ ଏକ ସ୍କ୍ରାପ ଡିଲରଙ୍କ ସହ ଯୋଗାଯୋଗ କରିଥିଲେ । ସେଠାରୁ ଯାଇ ପୁରୁଣା ବାଇକ୍ର ବିଭିନ୍ନ ପାର୍ଟସ ଆଣିବା ପାଇଁ ବାପା- ମା’ଙ୍କୁ ରାଜି କରାଇଥିଲେ ।
ମାତ୍ର ୪୫ ହଜାର ଟଙ୍କାରେ ସେ ସ୍କ୍ରାପ୍ ଦୋକାନରୁ ବାଇକ୍ର ବିଭିନ୍ନ ଯନ୍ତ୍ରାଂଶ ଆଣି ସଂଯୋଗ କରି ଏହି ଇଲେକ୍ଟ୍ରିକ ରୟାଲ ଏନଫିଲ୍ଡ ବାଇକ୍ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହି ରୟାଲ ଏନ୍ଫିଲ୍ଡ ବାଇକ୍କୁ ସେ ଇଲେକ୍ଟ୍ରିକ୍ କରିବାରେ ମାତ୍ର ୪ ଦିନ ସମୟ ନେଇଥିଲେ । ସବୁଠୁ ବଡ଼ କଥା ହେଉଛି ଏଡି ବାଇକ୍ ବିନା ଚାର୍ଜରେ ୧୦୦ କିଲୋମିଟର ଯାଏ ଯାଇପାରିବ । ଏହାକୁ ୪୮ ଭୋଲ୍ଟର ଚାର୍ଜରରେ ଘରେ ରିଚାର୍ଜ କରିପାରିବେ ବୋଲି ରାଜନ୍ କହିଛନ୍ତି ।