‘ଆମେରିକାରେ ମୁଁ ମୋର ଭବିଷ୍ୟତ ଦେଖୁନାହିଁ…’, ଟ୍ରମ୍ପ୍ ଜିତିବା ପରେ ୟୁଏସ୍ ଛାଡ଼ୁଛନ୍ତି ଏଲନ ମସ୍କଙ୍କ ଝିଅ
ଆମେରିକା ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଟେକ୍ ଅରବପତି ଏଲନ ମସ୍କ ବହୁତ ସମର୍ଥନ ଜଣାଇଥିଲେ । ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏଲନ ମସ୍କ ଖୁସି ମଧ୍ୟ ବ୍ୟକ୍ତ କରିଥିଲେ । କିନ୍ତୁ ଏବେ ମସ୍କଙ୍କ ଟ୍ରାନ୍ସ ଝିଅ ଭିଭିୟାନ ଜେନା ୱିଲସନ ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସି ନାହାନ୍ତି । ସେ ଘୋଷଣା କରି କହିଛନ୍ତି ଯେ ବର୍ତ୍ତମାନ ସେ ଆମେରିକାରେ ରହିବାକୁ ଚାହୁଁ ନାହାନ୍ତି ।
ୟୁଏସ୍ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ସୋସିଆଲ ମିଡିଆ ସାଇଟ୍ ‘ଥ୍ରେଡସ’ରେ ଜେନା ୱିଲସନ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଏହା ଭାବିଥିଲି, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ମଧ୍ୟ ହୋଇଛି । ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର ଭବିଷ୍ୟତ ଦେଖୁନାହିଁ’ ।
ସେ କହିଛନ୍ତି ଯେ ‘ଯଦିଓ ସେ (ଟ୍ରମ୍ପ) ୪ ବର୍ଷ ପାଇଁ ପଦରେ ରହିପାରନ୍ତି, ଯଦିଓ ଟ୍ରାନ୍ସ ବିରୋଧୀ ନିୟମ ଲାଗୁ ମଧ୍ୟ ହୋଇ ନ ପାରେ । ଏଥିପାଇଁ ଯେଉଁ ଲୋକମାନେ ସ୍ଵଇଚ୍ଛାରେ ମତଦାନ କରିଛନ୍ତି, ସେମାନେ ନିକଟ ଭବିଷ୍ୟତରେ କେଉଁଠିକୁ ଯାଉନାହାନ୍ତି’ ।
କହି ରଖୁଛୁ, ଏଲନ ମସ୍କଙ୍କ ଟ୍ରାନ୍ସ ଝିଅ ନିଜ ବାପାଙ୍କଠାରୁ ଦୂରେଇ ରୁହନ୍ତି । ଜେଣ୍ଡର ଚେଞ୍ଜ ଅପରେସନ ପରଠାରୁ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା । ଉଭୟ ପରସ୍ପର ସହ କଥା ସୁଦ୍ଧା ହେବାକୁ ଚାହୁଁ ନାହାନ୍ତି । ୱିଲସନ ନିଜେ ହିଁ ଅନେକ ଇଣ୍ଟରଭ୍ୟୁରେ ବାପାଙ୍କ ଉପରେ ଭିନ୍ନ ଭିନ୍ନ ପ୍ରକାରର ଅଭିଯୋଗ ମଧ୍ୟ ଲଗାଇଛନ୍ତି ।
୨୦୦୪ରେ ଏଲନ ମସ୍କ ଓ ଜଷ୍ଟିନଙ୍କଠାରୁ ଜେନା ୱିଲସନ ଜନ୍ମ ନେଇଥିଲେ । ଜେନାଙ୍କର ନାମ ସେହି ସମୟରେ ଜେଭିୟର ଅଲେକ୍ସଜାଣ୍ଡାର ମସ୍କ ରଖାଯାଇଥିଲା । ୨୦୦୦ରେ ମସ୍କ ତାଙ୍କ ମା’ଙ୍କୁ ବିବାହ କରିଥିଲେ । ହେଲେ ୨୦୦୮ରେ ଏହି ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା ।