ସହିପାରିଲେନି ପତ୍ନୀଙ୍କ ନିର୍ଯାତନା: ଶେଷରେ ଜୀବନ ହାରିଲେ AI ଇଞ୍ଜିନିୟର, ୨୪ ପୃଷ୍ଠାର ଚିଠିରେ ଲେଖିଲେ ଦୁଃଖ କାହାଣୀ

ବେଙ୍ଗାଳୁରୁ: ସହିପାରିଲେନି ପତ୍ନୀଙ୍କ ନିର୍ଯାତନା । ଶେଷରେ ବାଛିନେଲେ ମୃତ୍ୟୁର ବାଟ । ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଦିନକୁ ଦିନ ଅସହ୍ୟ ହେବା ଫଳରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ଜୀବନ ହାରିଛନ୍ତି । ବେଙ୍ଗାଳୁରୁରୁ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରଣ ଘଟଣା । ଏହି ଘଟଣା ଇଞ୍ଜିନିୟରଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି । ଅତୁଲ ସୁଭାଷଙ୍କ ବୟସ ୩୪ ବର୍ଷ । ଘର ଉତ୍ତରପ୍ରଦେଶ ଜୌନରପୁର ହୋଇଥିବା ବେଳେ ବେଙ୍ଗାଲୁରୁରେ ଏଆଇ ଇଜିଂନିୟର ଭାବେ କାର୍ଯ୍ୟ କରୁଥିଲେ ।

ସୁଭାଷଙ୍କର ମୃତଦେହକୁ ବେଙ୍ଗାଳୁରୁର ଏକ ଫ୍ଲାଟରୁ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ଜୀବନ ହାରିବାକୁ ପତ୍ନୀ ଏବଂ ଶାଶୁ ପ୍ରବର୍ତ୍ତାଉଥିବା ସୁଭାଷଙ୍କ ପରିବାର ଲୋକେ କହିଛନ୍ତି । ତେବେ ମୃତ୍ୟୁ ପରେ ପୋଲିସ ଘଟଣାସ୍ଥଳରୁ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ଜବତ କରିଛି । ଏହି ନୋଟରେ ରହିଛି ଅତୁଲଙ୍କ ହୃଦୟସ୍ପର୍ଶୀ ବ୍ୟଥା ।  ଦେଢ ଘଣ୍ଟାର ଭିଡିଓରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଦୁଃଖିତ କରିଛି । ତାଙ୍କ ମରଶରୀର ପତ୍ନୀ ନିକିତାଙ୍କୁ ଛୁଇଁବାକୁ ଦେବନି ବୋଲି କହିଛନ୍ତି ।  ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି । ବିନା କ୍ୟାମେରାରେ ନିକିତାଙ୍କୁ ନଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରଲୋକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି । ବେଙ୍ଗାଳୁରୁର ମଞ୍ଜୁନାଥ ଲେଆଉଟରେ ତାଙ୍କ ଫ୍ଲାଟରୁ ଅତୁଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଅତୁଲ ଲେଖିଥିବା ଚିଠିର ପ୍ରତ୍ୟେକ ପୃଷ୍ଠାରେ ମୋତେ ନ୍ୟାୟ ମିଳିବା ଉଚିତ ବୋଲି ଲେଖିଛନ୍ତି ।