ମଣ୍ଡପ ପର୍ଯ୍ୟନ୍ତ ବର ଆଣିଲା ନାହିଁ BMW କାର୍‌, ହେଲାନି କନ୍ୟାର ବିଦାୟୀ; ଶେଷରେ ଖାଲି ହାତରେ ହିଁ ଫେରିଲେ ବରଯାତ୍ରୀ!

ଗୁଜରାଟର ଆଣନ୍ଦରେ ବିବାହ ପରେ ଜଣେ କନ୍ୟାର ବିଦାୟୀ ହୋଇପାରି ନାହିଁ। ରାତିରେ ବିବାହର ସମସ୍ତ ରୀତିନୀତି ହସଖୁସିରେ ଶେଷ ହୋଇଥିବା ବେଳେ ସକାଳେ କନ୍ୟାର ବିଦାୟୀ ପାଇଁ ପ୍ରସ୍ତୁତି ଚାଲିଥିଲା। ହେଲେ ଏହି ସମୟରେ କନ୍ୟା ଏବଂ ବରପକ୍ଷ ମଧ୍ୟରେ BMW କାର୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା, ଯାହାପରେ ବର ଏବଂ ବରଯାତ୍ରୀ ଖାଲି ହାତରେ ଫେରି ଯାଇଥିଲେ।

ଖବର ମୁତାବକ, ବିବାହ ଶୋଭାଯାତ୍ରା ପାଇଁ ବର ଏକ BMW କାରରେ ଆସିଥିଲା। କିନ୍ତୁ କନ୍ୟାର ଗାଁ ରାସ୍ତା ଏତେ ଖରାପ ଏବଂ ସଂକୀର୍ଣ୍ଣ ଥିଲା ଯେ ବିବାହ ସ୍ଥଳରେ BMW କାର୍‌ରେ ପହଞ୍ଚିବା ସମ୍ଭବ ନ ଥିଲା। ଏମିତିରେ ବରକୁ ଏକ ବାଇକ୍‌ରେ ବସି ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିଥିଲା। ଯଦିଓ ବର ପହଞ୍ଚିଥିବା ପରେ କନ୍ୟା ଘର ଲୋକେ ହସଖୁସିରେ ବିବାହ ସମ୍ପନ୍ନ କରିଥିଲେ, କିନ୍ତୁ ବିଦାୟୀର ମାତ୍ର କିଛି ସମୟ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏପରି କି, କଥା ମାରପିଟ ପର୍ଯ୍ୟନ୍ତ ଯାଇଥିଲା, ଯାହା ପରେ ମାମଲା ଥାନାରେ ପହଞ୍ଚିଥିଲା।

ଏହି ଘଟଣାକୁ ନେଇ ବରପକ୍ଷ ଅଭିଯୋଗ କରିଛନ୍ତି ଯେ କନ୍ୟା ପକ୍ଷର ଲୋକେ ମଦ ପିଇଥିଲେ। ସେମାନେ ଜିଦି ଧରି ବସିଥିଲେ ଯେ ଯେପର୍ଯ୍ୟନ୍ତ BMW ମଣ୍ଡପ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ସେମାନେ ଝିଅର ବିଦାୟୀ କରିବେ ନାହିଁ। ଏହି ସମୟରେ ବରପକ୍ଷ ଲୋକେ BMW କାର୍‌ ମଣ୍ଡପ ପର୍ଯ୍ୟନ୍ତ ନ ଆସିପାରିବାର କାରଣ ବିଷୟରେ ଜଣାଇଥିଲେ ଏବଂ କହିଥିଲେ ଯେ ପ୍ରଥମେ ରାସ୍ତା ଚଉଡ଼ା କରାଯାଉ, ତା’ ପରେ BMW କାର୍‌ ଭିତରକୁ ଆସିବ। ଏହି କଥାକୁ ନେଇ ବିବାଦ ଏତେ ଆଗକୁ ବଢ଼ି ଯାଇଥିଲା ଯେ ବର ଏବଂ କନ୍ୟା ଘର ଲୋକେ ପରସ୍ପର ମଧ୍ୟରେ ମାରପିଟ କରିଥିଲେ, ଯାହାଫଳରେ ବିବାହ ପରେ କନ୍ୟାର ବିଦାୟୀ ହୋଇପାରି ନ ଥିଲା।

ବରପକ୍ଷ ଲୋକେ ଅଭିଯୋଗ କରିଛନ୍ତି କି, କନ୍ୟା ଘର ଲୋକେ ତାଙ୍କ ସହିତ ମାରପିଟ କରିବା ସହ ଗାଳିଗୁଲଜ କରିଛନ୍ତି। ଏ ନେଇ ବରର ବାପା ଥାନାରେ ଅଭିଯୋଗ କରିଛନ୍ତି। ସେପଟେ କନ୍ୟା ଘର ଲୋକେ ମଧ୍ୟ ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ବର ଘର ଲୋକେ ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ଏବଂ ଏକ ବାଇକ୍‌ ମାଗୁଥିଲେ। ଏ ସମ୍ପର୍କରେ କନ୍ୟାର ମା’ କହିଛନ୍ତି, ବିଦାୟୀ ସମୟରେ ଝଗଡ଼ା ହୋଇଥିଲା ଏବଂ ସେମାନେ ଏଠାରୁ ଚାଲି ଯାଇଥିଲେ।

Leave A Reply

Your email address will not be published.