ଗୁୁରୁଗ୍ରାମ: ଅଗ୍ନି ନିର୍ବାପକ ଯନ୍ତ୍ର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ; ୪ ଗୁରୁତର

ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଏହି କାରଖାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ତିଆରି ହେଉଥିଲା ।

ଅଗ୍ନିଶମ ଅଧିକାରୀ ରମେଶ କୁମାର କହିଛନ୍ତି ଯେ ଗୁରୁଗ୍ରାମର ଦୌଲତାବାଦ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ସମ୍ପର୍କରେ ଆମକୁ ସୂଚନା ମିଳିିଥିଲା । ସୂଚନା ପାଇବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

ଅଗ୍ନିଶମ ଅଧିକାରୀଙ୍କ ମୁତାବକ, ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆମେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ ଫାୟାର ଟେଣ୍ଡର ଆଣିଥିଲୁ । ସେତେବେଳେ ବିସ୍ଫୋରଣ ଜାରି ରହିଥିଲା । ଏହି ନିଆଁ ଲିଭା ଅଭିଯାନରେ ପାଖାପାଖି ୨୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା । ଏଥିରେ ଆଖପାଖର ବିଲ୍ଡିଂଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ଯେ ନିଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ରୁ ୪ ଜଣ ଆହତ ଲୋକଙ୍କୁ ଡାକ୍ତରଖାନା ପଠାଯାଇଛି ।

କହି ରଖୁଛୁ ଯେ ହରିୟାଣାର ପାନିପତ୍‌ରେ ଏକ କମ୍ବଳ କାରଖାନାରେ ନିଆଁ ଲାଗିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି । ଅଗ୍ନିକାଣ୍ଡରେ କମ୍ବଳ କାରଖାନାରୁ ଭୟଙ୍କର ନିଆଁ ଓ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ସେପଟେ ଦକ୍ଷିଣ-ପୂର୍ବ ତୁର୍କୀରେ ଏକ ଫସଲରେ ନିଆଁ ଲାଗି ରାତାରାତି ବସ୍ତିକୁ ବ୍ୟାପିଯାଇଥିଲା । ଏହା ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପଡୋଶୀ ଦେଶ ୟୁନାନରେ ଅଧିକାରୀମାନେ ଜଙ୍ଗଲ ଅଗ୍ନିକାଣ୍ଡ ହେତୁ ଏଥେନ୍ସର ଦକ୍ଷିଣ ଏବଂ ଦକ୍ଷିଣ ପେଲୋପୋନିଜ୍ ଅଞ୍ଚଳର ଅନେକ ଗ୍ରାମକୁ ଖାଲି କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like