ମେକ୍ସିକୋ ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ନିଆଁ ଲାଗି ଜଳିଗଲେ ୫ ଶ୍ରମିକ

ମେକ୍ସିକୋରେ ଏକ ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଜାଲିସ୍କୋ ରାଜ୍ୟରେ ଥିବା ଏହି ମଦ କାରଖାନାରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ଏତେ ଜୋର୍ଦାର ଥିଲା ଯେ ପୂରା କାରଖାନା ନିଆଁ କବଳକୁ ଆସିଯାଇଥିଲା । ଏଥିରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ଏବଂ ଲୋକଙ୍କୁ ରେସ୍କ୍ୟୁ କରିବାରେ ଲାଗିଥିଲେ । ରାଜ୍ୟ ନାଗରିକ ସୁରକ୍ଷା ଏଜେନ୍ସି ‘ଏକ୍ସ’ରେ ସୂଚନା ଦେଇଛି ଯେ ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି । ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ମୃତକ ଏବଂ ଆହତ କାରଖାନାରେ କାମ କରୁଥିଲେ ।
ଜରୁରୀକାଳୀନ ସେବାର ଅଧିକାରୀମାନେ ସତର୍କତାମୂଳକ ଭାବେ କାରଖାନା ଆଖପାଖ ଅଞ୍ଚଳକୁ ଖାଲି କରିଦେଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ଲୋକଙ୍କୁ ନିଜ ଘରକୁ ଫେରିବାକୁ ଅନୁମତି ଦିଆଯାଇଥିଲା । ରାଜ୍ୟ ନାଗରିକ ସୁରକ୍ଷା ନିର୍ଦ୍ଦେଶକ ଭିକ୍ଟର ହ୍ୟୁଗୋ ରୋଲ୍ଡନ କହିଛନ୍ତି ଯେ ବିସ୍ଫୋରଣର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି ।
ସେପଟେ ଶ୍ରମିକଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏହି ଘଟଣାରେ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ରାଶି ଘୋଷଣା କରାଯାଇ ନାହିଁ ।