ତାମିଲନାଡ଼ୁ: କାଞ୍ଚିପୁରମ୍ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଳି ପାଉଁଶ ହୋଇଗଲେ ୬ ଶ୍ରମିକ

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। କାଞ୍ଚିପୁରମ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ଏହି ଘଟଣାରେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି। ବାଣ କାରଖାନାର ମାଲିକ ନରେନ୍ଦ୍ରନ୍ ବୋଲି ଜଣାପଡିଛି। କାରଖାନାରେ ପାଖାପାଖି ୨୫ ଜଣ ଶ୍ରମିକ କାମ କରୁଥିଲେ। ତେବେ କାରଖାନାର ଲାଇସେନ୍ସ ଅଛି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସର କହିବା ହେଲା, ଯେତେବେଳେ ବାଣ ତିଆରି ପରେ ସେଗୁଡ଼ିକୁ ଖରାରେ ଶୁଖାଯାଇଥିଲା, ସେହି ସମୟରେ ସେଥିରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ କାରଖାନା ଭିତରେ ଥିବା ବାଣ ମଧ୍ୟ ନିଆଁ ସଂସ୍ପର୍ଶରେ ଆସିଯାଇଥିଲା ଏବଂ ଘଟଣାସ୍ଥଳରେ ଜୋରଦାର ବିସ୍ଫୋରଣ ଘଟିଥିଲା।

ଘଟଣା ଜଣାପଡ଼ିବା ପରେ ସେଠାରେ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ ଏବଂ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାଖାପାଖି ୩୦ ମିନିଟ୍ ଧରି ୨୫ ଜଣ ଅଗ୍ନିଶମ କର୍ମୀ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ସେମାନେ ଗୋଦାମରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରି କାଞ୍ଚିପୁରମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.