କ୍ଷୀରରେ ବି ଭେଜାଲ, ରିଫାଇଣ୍ଡ ଗ୍ଲୁକୋଜ୍‌ ଏବଂ ଓ୍ଵାସିଂ ପାଉଡର ମିଶାଇ ପ୍ରସ୍ତୁତ ହେଉଛି କ୍ଷୀର

ମାର୍କେଟରୁ କ୍ଷୀର କିଣି ପିଉଛନ୍ତି କି ? ଯଦି ଆପଣ ମାର୍କେଟରୁ କ୍ଷୀର ଆଣୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣ ପ୍ରତିଦିନ ପିଉଥିବା କ୍ଷୀର ଏବେ ଧଳା ବିଷ ପାଲଟିଛି । କ୍ଷୀର ଏବେ ଜହର ହୋଇଛି । କ୍ଷୀରରେ ବି ଭେଜାଲ । ରିଫାଇଣ୍ଡ, ଗ୍ଲୁକୋଜ୍‌ ଏବଂ ଓ୍ଵାସିଂ ପାଉଡର ମିଶାଇ ପ୍ରସ୍ତୁତ ହେଉଛି କ୍ଷୀର । ଥରେ ଭାବନ୍ତୁ ନକଲି କ୍ଷୀରକୁ ଯଦି ଆପଣ ନିଜ ପିଲାଙ୍କୁ ପିଇବାକୁ ଦେବେ ତାଙ୍କ ଅବସ୍ଥା କଣ ହେବ ।

ଭାରତର ପ୍ରତ୍ୟେକ ପରିବାରରେ କ୍ଷୀରର ଚାହିଦା ସବୁବେଳେ ଥାଏ । ଅଧିକ ଚାହିଦା ହେତୁ ବଜାରରେ ଏବେ ନକଲି କ୍ଷୀର ମିଳୁଛି । ପରିସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀ-ଏନସିଆରରେ ଭରପୂର ନକଲି କ୍ଷୀରର ଟ୍ୟାଙ୍କର୍ ଯୋଗାଇ ଦିଆଯାଉଛି । ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ନକଲି କ୍ଷୀରରେ ଭର୍ତ୍ତି ଏକ ଟ୍ୟାଙ୍କର ଜବତ ହୋଇଛି । କ୍ଷୀର ନୁହେଁ ତ ‘ଧଳା ବିଷ’ । ଏ ନକଲି କ୍ଷୀର ବଜାରରେ ପହଞ୍ଚିବା ପୂର୍ବରୁ ହିଁ ୧୪୦୦ ଲିଟର କ୍ଷୀରକୁ ନଷ୍ଟ କରାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଉତ୍ତରପ୍ରଦେଶର ବୁଲନ୍ଦସହରରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ନକଲି କ୍ଷୀର ଜବତ ହୋଇଛି । ଏହି ନକଲି କ୍ଷୀର ରାସାୟନିକ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହୋଇ ଦିଲ୍ଲୀ-ଏନସିଆରରେ ସପ୍ଲାଏ ହେଉଥିଲା । ଏହି ସମୟରେ ୧୪୦୦ ଲିଟର ନକଲି କ୍ଷୀରକୁ ନଷ୍ଟ କରାଯାଇଛି ।

ଅଭିଯୁକ୍ତଙ୍କ ଘରେ ୧୫ କିଲୋଗ୍ରାମ ଓ୍ଵାସିଂ ପାଉଡର , ୧୫୦ ଲିଟର ଲିକ୍ୱିଡ୍‌ ଗ୍ଲୁକୋଜ, ୧୫ ଲିଟର ରିଫାଇଣ୍ଡ ତେଲ ମିଳିଥିଲା । ଏହା ସହିତ ଏକ ପାତ୍ରରେ ରିଫାଇଣ୍ଡ ତେଲ ଏବଂ କ୍ଷୀର ମିଳିଥିଲା । ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା ପାଇଁ ପଠାଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ମାମଲା ରୁଜୁ ହେବ ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ରିଫାଇଣ୍ଡ ବ୍ୟବହାର କଲେ ନକଲି କ୍ଷୀର ଭଲ ଦେଖାଯିବ । ମିଠା ଲାଗିବା ପାଇଁ ଏଥିରେ ଗ୍ଲୁକୋଜ ବ୍ୟବହାର କରାଯାଏ । ଓ୍ଵାସିଂ ପାଉଡର ବ୍ୟବହାର କଲେ କ୍ଷୀରରେ ଧଳା ଫେଣ ଆସେ । ଖାଦ୍ୟ ସୁରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ” ଗୁପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାଞ୍ଚ କରିବା ସମୟରେ ୧୪୦୦ ଲିଟର ନକଲି କ୍ଷୀର ଜବତ ହୋଇଥିଲା ଏବଂ  ଖାଦ୍ୟ ସୁରକ୍ଷା ବିଭାଗ ଏହାକୁ ସଙ୍ଗେ ସଙ୍ଗେ ନଷ୍ଟ କରିଥିଲା ।

ତେବେ ଘଟଣା ପରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଲୋକମାନେ ନକଲି ଖାଦ୍ୟ ଖାଇ ମରଣ ମୁହଁକୁ ଯାଉଛନ୍ତି । ନକଲି କ୍ଷୀର ବିଷୟରେ ତ ଜଣା ପଡ଼ିଲା କିନ୍ତୁ ଏମିତି ଅନେକ ଖାଦ୍ୟ ରହୁଛି ଯେଉଁଥିରେ ଅନେକ ରାସାୟନିକ ପଦାର୍ଥ ମିଶାଯାଉଛି । ଏଭଳି ଖାଦ୍ୟ ଓ ପାନୀୟ ପିଇ ଅନେକ ଲୋକଙ୍କ ଜୀବନ ଯାଉଛି । ଯଦି ଏଭଳି ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଭଳି ନକଲି ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୁଏତ ବନ୍ଦ ହେବ ।

You might also like