ଝାଡ଼ଖଣ୍ଡ ନିର୍ବାଚନ : ଭାଇ ଭାଇ ପରେ ଏବେ ଗୋଟିଏ ଆସନରୁ ଦୁଇ ଯାଆ’ଙ୍କ ମଧ୍ୟରେ ଲଢ଼େଇ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆସନ୍ତା ୭ ତାରିଖରେ ହେବ । ୨୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ । ମୋଟ୍‌ ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ତେବେ ଏହି ନିର୍ବାଚନରେ ବେଶ୍‌ କିଛି ରୋଚକ ଘଟଣା ଘଟୁଛି । ଯେମିତିକି କୋଏଲାଞ୍ଚଳ ଅନ୍ତର୍ଗତ ଝରିଆ ଆସନ ଉପରେ ସାରା ରାଜ୍ୟର ନଜର ରହିଛି । ଏଠି ଦୁଇ ଜଣ ମହିଳା ପରସ୍ପରକୁ ଟକ୍କର ଦେଉଛନ୍ତି । ସେମାନେ ସମ୍ପର୍କରେ ହେଉଛନ୍ତି ଦୁଇ ଯାଆ ।
୨୦୧୪ରେ ଏହି ଆସନରୁ ବିଜେପିର ସଞ୍ଜୀବ ସିଂହ ତାଙ୍କର ଦାଦା ପୁଅ ଭାଇ ନୀରଜ ସିଂହଙ୍କ ସହିତ ମୁକାବିଲା କରିଥିଲେ । ନୀରଜ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ତେବେ ଏହି ମୁକାବିଲାରେ ସଞ୍ଜୀବ ବିଜୟୀ ହୋଇଥିଲେ । ଆଉ ଏଥର ଦୁଇ ନେତାଙ୍କ ପତ୍ନୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ନୀରଜଙ୍କ ପତ୍ନୀ ହେଉଛନ୍ତି ପୂର୍ଣ୍ଣିମା ସିଂହ ଏବଂ ସଞ୍ଜୀବଙ୍କ ପତ୍ନୀ ରାଗିଣୀ ସିଂହ । ଝରିଆରେ ଡିସେମ୍ବର ୧୬ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ । ଏହା ପୂର୍ବରୁ ଦୁଇ ଯାଆ ନିଜ ନିଜ ସ୍ୱାମୀଙ୍କୁ ନେଇ ଜୋରସୋରରେ ପ୍ରଚାର ଚଳାଛନ୍ତି । ସ୍ଥାନୀୟ ସମସ୍ୟାକୁ ସେମାନେ ପ୍ରସଙ୍ଗ କରିଛନ୍ତି । ଆଉ ଏକ ସୂଚନା ହେଉଛି, ୨୦୫ରୁ ୨୦୧୪ ପର୍ଯ୍ୟନ୍ତ ଏଠାରେ ସଞ୍ଜୀବଙ୍କ ମା ବିଧାୟିକ ରହିଥିଲେ ।

You might also like