କାରକୁ ସମାଧି ଦେଲେ ପରିବାର ଲୋକେ, ୧୫୦୦ ଲୋକଙ୍କୁ ଦେଲେ ଭୋଜି

ସମ୍ପର୍କୀୟଙ୍କ ମତ୍ୟୁ ହେଲେ ମଣିଷ ରୀତି ନୀତି ଅନୁସାରେ ସେମାନଙ୍କ ଅନ୍ତିମ ସଂସ୍କାର କରନ୍ତି । କିନ୍ତୁ ଏବେ ଏକ କାରର ଅନ୍ତିମ ସଂସ୍କାର କରାଯାଉଛି । ଗୁଜୁରାଟ ରାଜ୍ୟର ଅମରେଲି ଜିଲ୍ଳା ପଦରସିଂଗା ଗାଁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଗାଁରେ ରହୁଥିବା ଜଣେ ଚାଷୀ ନିଜ ପୁରୁଣା କାରକୁ ସମାଧି ଦେଇଛନ୍ତି । ବିଧି ବିଧାନର ସହ କାରର ଅନ୍ତିମ ସଂସ୍କାର କରାଯାଇଛି । କାରର ଅନ୍ତିମ ସଂସ୍କାର ସମୟରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ । ତେବେ ଏକ ବଡ଼ ଗାତ ଖୋଲି କାରକୁ ସମାଧି ଦିଆଯାଇଛି । କାରର ଅନ୍ତିମ ସଂସ୍କାର ସମୟରେ ଲୋକମାନେ ବାଜା ଓ ଡିଜେ ବଜାଇ ବଡ଼ ଧୁମଧାମରେ ଅନ୍ତିମ ସଂସ୍କାର କାର୍ଯ୍ୟକୁ ଶେଷ କରିଥିଲେ । ସଂଜୟ ନିଜ ପୁରୁଣା କାରକୁ ପ୍ରଥମେ ଫୁଲରେ ସଜାଇଥିଲେ । ପରେ କାରକୁ ସମାଧୀ ଦେବା ପାଇଁ ପୁରା ଗାଁ ପହଞ୍ଚିଥିଲା ।

ସୂଚନା ଥାଉ କି ୨୦୧୩ ମସିହାରେ ସଂଜୟ ଏହି କାରକୁ କିଣିଥିଲେ । ସଂଜୟଙ୍କ କହିବା ଅନୁସାରେ ଏହି କାର ତାଙ୍କ ପାଇଁ ବହୁତ ଲକି । ଏହି କାର କିଣିବା ପରେ ତାଙ୍କ ଜୀବନରେ ଅନେକ ଉନ୍ନତି ହୋଇଥିଲା । ତେଣୁ ଏହି କାରକୁ ବିକିବା ବଦଳରେ ସେ ଏହାକୁ ସମାଧି ଦେବାକୁ ଚାହିଁଥିଲେ ।

ଫୁଲ ମାଳାରେ ସଜାଯାଇଥିବା କାରକୁ ସମାଧି ଦେବା ପୂର୍ବରୁ ଏକ ବଡ଼ ଗାତ ଖୋଳାଯାଇଥିଲା । ପରେ ବୁଲ୍ଡୋଜର୍ ସାହାଯ୍ୟରେ କାରକୁ ପୋତା ଯାଇଥିଲା । ତେବେ ସଂଜୟଙ୍କ ପାଇଁ ଏହି କାର୍ ବହୁତ ଖାସ୍ ଥିଲା । ଏହି କାର ତାଙ୍କ ଜୀବନରେ ପ୍ରଗତି ଆଣିଥିବା ସେ ପ୍ରକାଶ କରିଛନ୍ତି । ଏହି ଭିନ୍ନ କାର୍ଯ୍ୟକ୍ରମରେ ଗାଁର ସମସ୍ତ ଲୋକ ଉପସ୍ଥିତ ହୋଇଥିଲେ ।

ବଡ଼ କଥା ହେଉଛି ଏହି କାରର ଅନ୍ତିମ ସଂସ୍କାର ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପାଖାପାଖି ୧୫୦୦ ଲୋକଙ୍କୁ ଭୋଜି ଦେଇଛନ୍ତି ସଂଜୟ । କାରର ଅନ୍ତିମ ସଂସ୍କାର ସମସ୍ତ ରୀତି ନୀତି ସହ ଶେଷ ହୋଇଥିବାବେଳେ ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

You might also like