କରୋନାରେ ହୋଇଥିଲା ମୃତ୍ୟୁ; ହେଲେ କୋମା କହି ଦେଢ଼ ବର୍ଷ ଧରି ମୃତଦେହକୁ ଘରେ ରଖିଥିଲେ ପରିବାର ଲୋକେ! ଜାଣନ୍ତୁ ଘଟଣା

କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ଦେଢ଼ ବର୍ଷ ଧରି ମୃତଦେହ ସହିତ ରହି ଆସୁଥିଲା। ମୃତକ ଥିଲେ ଆୟକର ଅଧିକାରୀ ବିମଳେଶ ସୋନକର। ଯେତେବେଳେ କୌଣସି ସୂତ୍ରରୁ ଖବର ପାଇ ବିଭାଗର କର୍ମଚାରୀମାନେ ଉକ୍ତ ଘରେ ପହଞ୍ଚିଥିଲେ, ତ ଘଟଣାର ଖୁଲାସା ହୋଇଥିଲା। ପରିବାର ଲୋକେ ଏହାକୁ କୋମା ବୋଲି କହି ଆସୁଥିଲେ। କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ, ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଛି। ତେବେ ତାଙ୍କ ମୃତ୍ୟୁ କେବେ ହୋଇଥିଲା, ତାହାର ସଠିକ୍‌ ସୂଚନା ଟାଇମିଂ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ।

ବିମଳେଶଙ୍କ ବାପା ଓ ଦାଦା କହିଛନ୍ତି ଯେ ହୃଦସ୍ପନ୍ଦନ ଚାଲୁଥିଲା, ତେଣୁ ଆମେ ରଖିଥିଲୁ। ଡାକ୍ତର ମଧ୍ୟ ଯାଞ୍ଚ କରିଥିଲେ। ସେ ବି ବଞ୍ଚିଥିବା କଥା ଆମକୁ କହିଥିଲେ। ଆମେ ଶରୀରରେ କୌଣସି ପ୍ରକାର ଲେପ ଲଗାଇ ନ ଥିଲୁ। ପ୍ରଥମେ ଯେତେବେଳେ ଆମେ ମୃତ ବୋଲି ଜାଣିଲୁ, ସେତେବେଳେ ଶବଯାତ୍ରା ପାଇଁ ପ୍ରସ୍ତୁତି କରୁଥିଲୁ। ଠିକ୍‌ ସେତିକି ବେଳେ ହୃଦସ୍ପନ୍ଦନ ଚାଲିବା ଦ୍ୱାରା ତୁରନ୍ତ ଅନ୍ତିମ ସଂସ୍କାରକୁ ରୋକି ଦିଆଯାଇଥିଲା। ଏପରି କି, ତାଙ୍କ ଶରୀରରୁ କୌଣସି ବି ଦୁର୍ଗନ୍ଧ ଆସୁ ନ ଥିଲା।

କରୋନାର ଦ୍ୱିତୀୟ ଲହରୀରେ ବିଗିଡ଼ି ଯାଇଥିଲା ସ୍ୱାସ୍ଥ୍ୟାବସ୍ଥା

ଖବରରୁ ଜଣାପଡ଼ିଛି କି, ବିମଳେଶ ସୋନକର ଏଠାରେ ନିଜ ପତ୍ନୀ ମିତାଲୀଙ୍କ ସହିତ ରହୁଥିଲେ। ମିତାଲୀ କୋ-ଅପରେଟିଭ୍‌ ବ୍ୟାଙ୍କରେ ଚାକିରି କରନ୍ତି। ବିମଳେଶ ଅହମ୍ମଦାବାଦ ଇନ୍‌କମ ଟ୍ୟାକ୍ସରେ ଏଓ ପଦରେ କାର୍ଯ୍ୟରତ ଥିଲେ। ପଡ଼ୋଶୀମାନଙ୍କ କହିବା ଅନୁସାରେ, କରୋନାର ଦ୍ୱିତୀୟ ଲହରୀ ସମୟରେ ଅର୍ଥାତ୍‌ ୨୦୨୧ ଏପ୍ରିଲ ୨୨ରେ ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ବିମଳେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି କି, ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା। ଘରକୁ ଫେରିବା ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍‌ ମୃତକଙ୍କ ହୃଦସ୍ପନ୍ଦନ ଆସିବା କଥା କହି ପରିବାର ଲୋକେ ଅନ୍ତିମ ସଂସ୍କାରକୁ ଟାଳି ଦେଇଥିଲେ।

ପଡ଼ୋଶୀ ଆହୁରି କହିଥିଲେ କି, ପରିବାର ଲୋକେ ବିଶ୍ୱାସ କରୁଥିଲେ ଯେ ବିମଳେଶ ବଞ୍ଚିଛନ୍ତି ଏବଂ କୋମାରେ ଅଛନ୍ତି। ଦେଢ଼ ବର୍ଷ ଧରି ପ୍ରତିଦିନ ଘରକୁ ଅକ୍ସିଜେନ୍‌ ସିଲିଣ୍ଡର ନିଆଯାଉଥିଲା। ତେଣୁ କେବେ ବି ତାଙ୍କ ମୃତ୍ୟୁ ନେଇ ସନ୍ଦେହ ହୋଇ ନ ଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ପାଖାପାଖି ଦେଢ଼ ବର୍ଷ ବିତି ଗଲାଣି। ଘର ଭିତରେ ଏକ ପଲଙ୍କ ଉପରେ ମୃତଦେହକୁ ଶୁଆଇ ରଖାଯାଇଥିଲା। ମୃତ ଶରୀରର ଅବସ୍ଥା ବହୁତ ଖରାପ ହୋଇଯାଇଥିବା ବେଳେ ମାଂସ, ହାଡ଼ଗୁଡ଼ିକ ଶୁଖିଯାଇଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଘରେ ପହଞ୍ଚିବାରୁ ପରିବାର ଲୋକେ ମୃତଦେହ ଦେବାକୁ ମନା କରି ଦେଇଥିଲେ। ସେମାନେ ଜିଦ୍‌ ଧରି ବସିଥିଲେ କି, ବିମଳେଶ ଏବେ ବି ଜୀବିତ ଅଛନ୍ତି। କିନ୍ତୁ ଟିମ୍‌ ମୃତଦେହକୁ ଜବତ କରି ହସ୍ପିଟାଲ ପଠାଇଥିଲା। ଏବେ କେବଳ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କଥା ପଦାକୁ ଆସି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.