ବରଯାତ୍ରୀ ଧରି ବରଘରେ ବୁଲେଟରେ ପହଂଚିଲେ କନ୍ୟା, ଦେଖିଛନ୍ତି କି କେଉଁଠି ଏଭଳି ବିବାହ ?

ଦୁଇଟି ଶରୀର ନୁହେଁ ଦୁଇଟି ଆତ୍ମାର ମିଳନ ହେଉଛି ବିବାହ । ଏହି ଦିନକୁ ଚୀରସ୍ମରଣୀୟ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି ସମସ୍ତେ । ଖାସ୍ କରି ଝିଅମାନେ । ଏହି ଦିନ ପାଇଁ ସେମାନଙ୍କ ଆଖିରେ ଲହଡି ଭାଙ୍ଗୁଥାଏ ଅଳସି ସ୍ବପ୍ନ ଏବଂ ମନରେ ଥାଏ ଅଶୁମାରୀ ଆଶା । କେହି କେହି ଝିଅ ଏହି ଦିନକୁ ଖାସ୍ କରିବା ପାଇଁ କରିଥାଏ ଡିଜାଇନର୍ ଲେହେଙ୍ଗା ତ କେହି କରିଥାଏ ନିଆରା ନିମନ୍ତ୍ରଣ କାର୍ଡ । ହେଲେ କିନ୍ତୁ ପୁଣେର ଜଣେ ଚାଷୀଙ୍କ ଝିଅ ନିଜ ବିବାହରେ ଏମିତି କିଛି କରିଗଲେ ଯାହା ଅନ୍ୟ ଝିଅମାନେ କଳ୍ପନା ମଧ୍ୟ କରିପାରିବେନି ।

ବୁଲେଟ୍ ଚଳାଇ ବରଯାତ୍ରୀ ସହ ମଣ୍ଡପରେ ପହଂଚିଥିଲେ କନ୍ୟା । କୋମଲ ଦେଶମୁଖ୍ ନାମକ ଏହି ଯୁବତୀ ଜଣକ ସଜବାଜ ହୋଇ ବିବାହ ଶାଢୀ ପିନ୍ଧି ଯେତେବେଳେ ବୁଲେଟରେ ବାହାରିଥିଲେ ସେତେବେଳେ ଦେଖିବା ଲୋକ ଭାବିଥିଲେ ଯେ କୌଣସି ଫିଲ୍ମର ସୁଟିଂ ଚାଲିଛି ବୋଧେ । ଶରୀରରେ ଲାଲ୍ ଶାଢୀ, ଆଖିରେ କଳା ଚଷମା ଆଉ ହାତରେ ସବୁଜ ଚୁଡି । ଅସଲ ଜୀବନରେ କଣ ଏମିତି କୌଣସି କନ୍ୟା ବୁଲେଟ୍ ଚଲାଇବ ? କିନ୍ତୁ କିଛି ସମୟ ମଧ୍ୟରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି କୋମଲ ନିଆରା ଭାବରେ ନିଜ ଢଙ୍ଗରେ ବିବାହ କରିବାକୁ ବାହାରିଛନ୍ତି ।

ଆଗେ ଆଗେ ଚାଲିଥିଲେ ବୁଲେଟ୍ ରାଣୀ ଆଉ ପଛେ ପଛେ ଚାଲିଥିଲା ଫୁଲରେ ସଜିତ ଗାଡି । ଯେଉଁଥିରେ ଥିଲେ ବର ଏବଂ ତାଙ୍କ ପରିବାର । ପରେ କୋମଲର ବାପା ସେହି ବୁଲେଟକୁ ଉପହାର ସ୍ବରୂପ ଝିଅକୁ ଦେଇଥିଲେ ।