ବର୍ଷକର ଆନ୍ଦୋଳନ ପରେ ସ୍ଥଗିତ ହେଲା କୃଷକ ଆନ୍ଦୋଳନ, ଡିସେମ୍ବର ୧୧ ରୁ ଆରମ୍ଭ ହେବ ଘର ବାହୁଡ଼ା

ନୂଆଦିଲ୍ଲୀ : ଗୋଟିଏ ବର୍ଷ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଏବେ ସମାପ୍ତ ହୋଇଛି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହା ଘୋଷଣା କରିଛି । କୃଷକ ନେତା ବଲବୀର ରାଜେବାଲ କହିଛନ୍ତି ଯେ ଆମେ ସରକାରଙ୍କୁ ହରାଇ ବୀଜୟ ପ୍ରାପ୍ତ କରିଛୁ । ଆସନ୍ତା ୧୫ ଜାନୁଆରୀରେ କୃଷକ ମୋର୍ଚ୍ଚାର ପୁନର୍ବାର ବୈଠକ ହେବ । ସେଥିରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ରାଜେବାଲ କହିଛନ୍ତି ।

କୃଷକଙ୍କ ଆନ୍ଦୋଳନ ସ୍ଥଗିତ ହେବା ନେଇ ଘୋଷଣା ହେବା ପରେ କୃଷକମାନଙ୍କ ଆଜି ଘର ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ୧୧ ତାରିଖରେ ଦିଲ୍ଲୀ ବର୍ଡରରୁ କୃଷକମାନେ ଫେରିବେ । ୧୩ ଡିସେମ୍ବରରେ ଅମୃତସରରେ ହରମିନ୍ଦର ସାହିବ ଠରେ ପୂଜା କରିବେ । ୧୫ ଡିସେମ୍ବରରେ ପଞ୍ଜାବ ଟୋଲ ପ୍ଲାଜା ଠାରେ ଆନ୍ଦୋଳନ ରତ ଥିବା କୃଷକମାନେ ମଧ୍ୟ ହଟିଯିବେ ।

ପ୍ରକାଶଯୋଗ୍ୟ ଯେ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ୩ ଆଇନକୁ ପ୍ରତ୍ୟାହୃତ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ କୃଷକ ମୋର୍ଚ୍ଚା ଅନ୍ୟ କିଛି ଦାବି ନେଇ ସରକାରଙ୍କୁ ଚିଠି ଲେଖିଥିଲେ । ଏ ସମ୍ପର୍କରେ ନିଷ୍ପତ୍ତି ନେଇ ସବୁଜ ସଂକେତ ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପ୍ରକାଶ କରିଛି ।

ରାଜେବାଲ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ କରାଗଲା । ଆଗାମୀରେ ପ୍ରତି ମାସ ଏହାର ବୈଠକ ବସିବ ଓ ଆଗାମୀ ରଣନୀତି ସମ୍ପର୍କରେ ନିର୍ଣ୍ଣୟ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.