୧୨ ଘଣ୍ଟା ପାଇଁ ଭାରତରେ ହେବ ଚକଅଖ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା କଣ ରହିବ ବନ୍ଦ
କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ଟାରୁ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ଏହି ସମୟ ଭିତରେ ରାସ୍ତା ଅବରୋଧ କରି ପାରନ୍ତି ଆନ୍ଦୋଳନକାରୀ । ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ ହେବ । ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ବରଗାଡ଼ିକୁ ଅଟକାଯିବ ନାହିଁ। ଜନସାଧାରଣଙ୍କୁ ସମସ୍ୟାରେ ପକାଇବାକୁ ଚାହୁଁ ନଥିବା ଚାଷୀ ସଂଗଠନ କହିଛନ୍ତି । ସେଥିପାଇଁ ୧୨ ଘଣ୍ଟିଆ ପ୍ରତିକାତ୍ମକ ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଭାରତ ବନ୍ଦ ବେଳେ କୋଭିଡ ଗାଇଡ୍ ଲାଇନ୍ ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯାଏ, ତାହା ନିଶ୍ଚିତ କରିବାକୁ କୁହାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏ ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ଦ ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ପାଇଁ ନିଷ୍ପତି ହୋଇଛି ।
ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ବଢ଼ିବାରେ ଲାଗିଛି । କଂଗ୍ରେସ, ଡିଏମକେ, ଏନସିପି, ସମାଜବାଦୀ ପାର୍ଟି, ବାମ ଦଳ ଓ ଆପ୍ ସମେତ ୧୧ଟି ରାଜନୈତିକ ଦଳ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆନ୍ଦୋଳନକାରୀ ଚାଷୀଙ୍କ ସହ ସାମିଲ ହୋଇ ନିଜର ସମର୍ଥନ ଘୋଷଣା କରିଥିଲେ । ସେପଟେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେବାକୁ କନୌଜ ଆସିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ସିଂଙ୍କୁ ବାଟରେ ଅଟକାଇଥିଲା ପୋଲିସ । ଏହାର ପ୍ରତିବାଦରେ ଦଳ ବିଭିନ ସ୍ଥାନରେ ବିକ୍ଷୋଭ କରିଛି ।
ସେପଟେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । କେବଳ ବିରୋଧ ପାଇଁ ବିରୋଧୀ ବିରୋଧ କରୁଛନ୍ତି । କଂଗ୍ରେସ ତା ନିଜ ଅତୀତକୁ ଭୁଲି ଯାଇଛି । ୨୦୧୯ ନିର୍ବାଚନରେ ଏପିଏମ୍ସି ହଟାଇବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ବାଣିଜ୍ୟ ଓ କୃଷି ଉତ୍ପାଦକୁ ବନ୍ଧନ ମୁକ୍ତ କରିବାକୁ କହିଥିଲା । ମୋଦି ସରକାର ଯାହା କରୁଛନ୍ତି, ୟୁପିଏ ଅମଳରେ ବିରୋଧୀ ତାହା କରୁଥିଲେ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି । ଓଡ଼ିଶାରେ କଂଗ୍ରେସ, ସମାଜବାଦୀ ପାଟି ଓ ବାମଦଳ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।