ଫାରୁକ୍ ଅବଦୁଲ୍ଲାଙ୍କ କାରକେଡରେ ଥିବା କାର୍ ଦୁର୍ଘଟଣାର ଶିକାର, ପଶିଆସିଲା ନୀଳଗାଈ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ କାରକେଡରେ ଥିବା ଏକ କାର୍ ଦୁର୍ଘଟଣାର ଶିକାର ହୋଇଛି । ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦୌସା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫାରୁକ ଅବଦୁଲ୍ଲା ରାଜସ୍ଥାନ ଅଜମେର୍ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଏହି ଏସ୍କର୍ଟ କାର୍ ଦିଲ୍ଲା ପୋଲିସର । ରାସ୍ତାରେ ଯାଉଥିବା ବେଳେ ହଠାତ୍ ନୀଳଗାଈ ପଶିଆସିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି । ଏହାର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି ।
ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଦୌସା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ଏସ୍କର୍ଟ କରୁଥିବା କାରର ଏୟାରବ୍ୟାଗ୍ ଖୋଲିଯିବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା । କିନ୍ତୁ ଯବାନମାନଙ୍କୁ ମାମୁଲି ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।
ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ପପୁରାମ ମୀଣା କହିଛନ୍ତି, ଫାରୁକ ଅବଦୁଲ୍ଲାଙ୍କ ସହ ଆମେ କାରକେଡରେ ଦିଲ୍ଲୀରୁ ଅଜମେର୍ ଯାଉଥିଲୁ । ଏହି ସମୟରେ ଗାଡ଼ିରେ ୩ କମାଣ୍ଡୋ ଏବଂ ଜଣେ ଡ୍ରାଇଭର ଥିଲେ । କିନ୍ତୁ ଭାଣ୍ଡାରେଜ୍ ଇଣ୍ଟରଚେଞ୍ଜ ନିକଟରେ କାରକେଡ୍ ଆଗକୁ ହଠାତ୍ ଏକ ନୀଳଗାଈ ପଶିଆସିଥିଲା । ଏହି କାରଣରୁ ଦୁର୍ଘଟଣା ଘଟିଥିଲା ।
ନିକଟରେ କର୍ଣ୍ଣାଟକର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବାଲକରଙ୍କ କାର୍ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରୁ ମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଥିଲେ । ଦୁର୍ଘଟଣା ସମୟରେ ତାଙ୍କ ଭାଇ ତଥା କର୍ଣ୍ଣାଟକ ବିଧାନ ପରିଷଦ (MLC) ସଦସ୍ୟ ଚେନ୍ନାରାଜ ହଟ୍ଟିହୋଲି ମଧ୍ୟ କାର୍ ଭିତରେ ଥିଲେ । ତାଙ୍କୁ ବି ଆଘାତ ଲାଗିଥିଲା । ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ସୌଭାଗ୍ୟବଶତଃ, ଗାଡ଼ିର ସମସ୍ତ ସେଫ୍ଟି ଏୟାରବ୍ୟାଗ୍ ଖୋଲିଯିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।
ଆହୁରି ପଢ଼ନ୍ତୁ: ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବାଲକର ଓ ଏମଏଲସି ସଦସ୍ୟ ଚେନ୍ନାରାଜ