ଅପହରଣ ହୋଇଥିବା ନେଇ ବାପା ଦେଲେ ଏତଲା, ଝିଅ ଫେସ୍‌ବୁକ୍‌ରେ ଲେଖିଲା- GOT MARRIED, ହଇରାଣ କରନାହିଁ

ବିହାରର ହାଜିପୁରରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଝିଅ ନିଜ କିଡନାପିଂ ହୋଇଥିବା ନେଇ ରୁଜୁ ହୋଇଥିବା ମାମଲାକୁ ମିଛ ବୋଲି କହିବା ସହ ପୋଲିସ ସହାୟତା ମାଗୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ଯାଞ୍ଚ ହେବା ପରେ ଜଣାପଡ଼ିଛି ଯେ ଭିଡିଓରେ ନଜର ଆସୁଥିବା ଝିଅ ଗୋରୌଲ ଥାନା ଅନ୍ତର୍ଗତ ମଲିକପୁରାର ବାସିନ୍ଦା। ଝିଅର ବାପା କିଛି ଦିନ ତଳେ ଗୋରୌଲ ଥାନାରେ ଝିଅ କିଡନାପ୍‌ ହୋଇଥିବା ନେଇ ଏତଲା ଦେଇଥିଲେ।

ମାମଲା ରୁଜୁ ହେବା ପରେ ଝିଅ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଥମେ GOT MARRIED ଷ୍ଟାଟସ୍‌ ଦେଇଥିଲେ। ତା’ ପରେ ଭିଡିଓ ଓ ଫଟୋ ପୋଷ୍ଟ କରି ନିଜକୁ ସାବାଳିକା ବୋଲି ମଧ୍ୟ କହିଥିଲେ। ଏଥିସହ ବାପା ତାଙ୍କୁ ହଇରାଣ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ସେ କିଡ୍‌ନାପ ହୋଇଛନ୍ତି ବୋଲି ପୋଲିସରେ ରୁଜୁ ହୋଇଥିବା ମାମଲା ବିଷୟରେ ଜାଣିବା ପରେ ପୋଲିସ ଠାରୁ ସାହାଯ୍ୟ ମାଗିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଝିଅଟି ପାଖରେ ଜଣେ ପୁରୁଷ ବସିଛନ୍ତି। ଝିଅଟି କହୁଛି ଯେ ସେ ନିଜ ଇଚ୍ଛାରେ ବିବାହ କରିଛି ଓ ଖୁସି ଅଛି। ଏଣୁ ଘର ଲୋକ ତାକୁ ହଇରାଣ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛି।

ଏଫ୍‌ଆଇଆର ଓ ତା’ ପରେ ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ମାମଲାଟି ପ୍ରେମଜନିତ ବୋଲି ଜଣାପଡ଼ୁଛି। ତେବେ ବର୍ତ୍ତମାନ ପୋଲିସ ନିକଟରେ କିଡନାପିଂ ନେଇ ହୋଇଥିବା ଏତଲା ଓ ଭାଇରାଲ ଭିଡିଓ ଅଛି। ଅନ୍ୟପଟେ ଭିଡିଓଟି ଭାଇରାଲ କରିସାରିବା ପରେ ଝିଅଟି ନିଖୋଜ ଥିବା ଜଣାପଡ଼ିଛି। ତେବେ ଆଗକୁ ଏହି ମାମଲାରେ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଏବେ ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.