ବାପା ଚପରାସୀ, ମା’ କରନ୍ତି ଅନ୍ୟ ଘରେ ସଫେଇ କାମ, ଝିଅ ପାଇଲେ ୨୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି

ନୋଏଡା : ଦୃଢ଼ ମନୋବଳ ଥିଲେ ଟଙ୍କାର ଅଭାବ ସଫଳତାର ବାଟ ରୋକି ପାରେ ନାହିଁ । ଏମିତି କିଛି କରି ଦେଖାଇଛନ୍ତି ରିତିକା ସୁରିନ । ନିଜର ପ୍ରଚେଷ୍ଟା ବଳରେ ସେ ୨୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ପାଇଛନ୍ତି । ରିତିକଙ୍କ ମା’ ପର ଘରେ ସଫେଇ କାମ କରିଥାନ୍ତି ଏବଂ ବାପା ଏକ କଲେଜରେ ଚପରାସୀ ଭାବେ କାମ କରନ୍ତି । ମା’ ବାପା ଝିଅକୁ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁଥିଲେ ତ ଝିଅ ମଧ୍ୟ କଠିନ ପରିଶ୍ରମ କରିବାକୁ ପଛେଇ ନାହାଁନ୍ତି ।

ଫଳ ସ୍ୱରୁପ ପ୍ରଥମ ଚେଷ୍ଟାରେ ହିଁ ରିତିକଙ୍କୁ ମିଳିଛି ୨୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି । ରିତିକଙ୍କୁ ନେଇ କେବଳ ମାତା-ପିତା ନୁହଁନ୍ତି ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ଅତି ସାଧାରଣ ପରିବାରରୁ ଆସି ନିଜର ପ୍ରଚେଷ୍ଟା ବଳରେ ଏପରି ସ୍ଥାନରେ ପହିଞ୍ଚିବାରୁ ତାଙ୍କର ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଜୀବନରେ ସଫଳତା ନ ପାଇଲେ ସାଧାରଣତଃ ଗରୀବ ହେବାକୁ ଦୋଷ ଦେଇଥାନ୍ତି । ହେଲେ ରିତିକାଙ୍କ ମା’ ବାପା ରିତିକାଙ୍କୁ ଅସଫଳ ହେବାକୁ ଦେଇ ନାହାଁନ୍ତି । ମା’ ମେରୀ ଅନ୍ୟ ଘରେ ସଫେଇ କାମ କରୁଥିବା ବେଳେ ବାପା ନାଭାଲ ଗୋଲଗୋଟିଆ କଲେଜରେ ଚପରାସୀ ଭାବେ କାମ କରନ୍ତି । ହେଲେ ଝିଅକୁ ସର୍ବଦା ଅଭାବରୁ ଦୂରରେ ରଖିଛନ୍ତି । ରିତିକାଙ୍କ ଝାଡଖଣ୍ଡର ମୂଳ ବାସିନ୍ଦା ।

ରିତିକାଙ୍କ ମା’ ଯାହାଙ୍କ ଘରେ କାମ କରନ୍ତି, ସେ ମଧ୍ୟ ରିତିକାଙ୍କ ପଢ଼ାରେ ସହଯୋଗ କରଛନ୍ତି ବୋଲି କୁହନ୍ତି ରିତିକାଙ୍କ ମା’ । ରିତିକାଙ୍କୁ କେବେ ବି ପାଠ ପଢ଼ାରେ ବାଧା ନ ଆସିବା ପାଇଁ ଟଙ୍କାର ଅଭାବ କରି ନାହାଁନ୍ତି ବାପା-ମା’ ବୋଲି କୁହନ୍ତି ରିତିକା । ସାଙ୍ଗ ଓ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ମଧ୍ୟ ରିତିକାଙ୍କ ଅଧ୍ୟୟନର ଝୁଙ୍କ ଦେଖି ସହଯୋଗ କରିବାକୁ ପଛାଇ ନାହାଁନ୍ତି ।

ରିତିକାଙ୍କ ପାଠ ପଢ଼ାରେ ଭଲ ନମ୍ବର ଦେଖି ତାଙ୍କୁ ସ୍କଲାରସିପ ଓ ମାଗଣାରେ ବହିପତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ଯେଉଁଥି ପାଇଁ ଆଜି ରିତିକା ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । କଠିନରୁ କଠିନ ପରିସ୍ଥିତି ଭିତରେ ରିତିକାଙ୍କ ଏହି ଯାତ୍ରା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ।

Leave A Reply

Your email address will not be published.