କ୍ରୋଧର ବିଷମ ପରିଣତି: କ୍ଷୀର ପିଇବା କଥାକୁ ନେଇ ବାପ ପୁଅକୁ ଗୁଳି କରିବା ପରେ ନିଜେ କଲେ ଆତ୍ମହତ୍ୟା

ସାଧାରଣ କ୍ଷୀର ପିଇବା କଥାକୁ ନେଇ ଏକ ପରିବାରର ଦୁଇଟି ଜୀବନ ଚାଲିଯାଇଛି । ବାପା ତା‘ର ୧୬ ବର୍ଷର ପୁଅକୁ ଗୁଳି କରି ହତ୍ୟା କରିବା ପରେ ନିଜେ କରିଛନ୍ତି ଆତ୍ମହତ୍ୟା । ଘଟଣାଟି ଘଟିଛି ଉତ୍ତରପ୍ରଦେଶ ପିଲିଭିଟି ଜିଲ୍ଲାର ଘୁଙ୍ଗଚିହାଇ ଗ୍ରାମରେ ।

କଥାରେ ଅଛି କ୍ରୋଧ ବ୍ରହ୍ମ ଚଣ୍ଡାଳ । କ୍ରୋଧ ବଶତଃ ମନୁଷ୍ୟ କିଛି ବି କରିବାକୁ ପଛାଏ ନାହିଁ । ଏହି କ୍ରୋଧ ଯୋଗୁ ସାଧାରଣ କ୍ଷୀର ପିଇବାକୁ ନେଇ ବାପ-ପୁଅଙ୍କ ମଧ୍ୟରେ କଳହ ଲାଗିଥିଲା ।
ସୋମବାର ରାତିରେ ପୁଅ ଯଶକରନ୍‌ (୧୬) କିଛି କ୍ଷୀର ପିଇଦେଇଥିଲେ । ଏହାକୁ ନେଇ ବାପା ଗୁରୁମୁଖ ସିଂହ(୫୫) ପୁଅକୁ ଗାଳି କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଉଗ୍ର ରୂପ ନେଇଥିଲା । ଫଳରେ ବାପା ହଠାତ୍‌ ନିଜ ବନ୍ଧୁକରୁ ପୁଅ ଉପରକୁ ଗୁଳି କରିଥିଲେ ।

ଏହି ସମୟରେ ଗୁରୁମୁଖଙ୍କ ଭାଇ ଅବତାର ସିଂହ କଳହରେ ହସ୍ତକ୍ଷେପ କରିବାରୁ ଭାଇ ଉପରକୁ ମଧ୍ୟ ସେ ଗୁଳି ମାରିଥିଲେ ।
ଭାଇ ଅବତାରଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୁଅକୁ ଗୁଳି ମାରିବା ପରେ ଗୁରୁମୁଖ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୋଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.