କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା : ମନ୍ତ୍ରୀ ଷ୍ଟାଇଲରେ, ଭିଜୁଆଲ ଭାଇରାଲ ପରେ ପ୍ରବଳ ପ୍ରତିକ୍ରିୟା

କରୱାର : କର୍ଣ୍ଣାଟକର କରୱାର ଅନ୍ତର୍ଗତ ହଲିୟାଲ ଅଞ୍ଚଳର ଘଟଣା । ଏଠି ରାଜ୍ୟ ଏବଂ ଜାତୀୟ ସ୍ତରରେ ସଫଳତା ପାଇଥିବା କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା । ଅତିଥି ଥିଲେ ରାଜ୍ୟର ରାଜସ୍ବ ମନ୍ତ୍ରୀ ଆର.ଭି. ଦେଶପାଣ୍ଡେ । ଅତିଥି ଜଣେ ଓ ସମ୍ବର୍ଦ୍ଧିତ ହେଉଥିବା ଖେଳାଳିଙ୍କ ତାଲିକା ଥିଲା ବହୁତ ଲମ୍ବା । ମନ୍ତ୍ରୀ ସେମାନଙ୍କୁ ସ୍ପୋର୍ଟସ କିଟ୍ ବଣ୍ଟନ କରୁଥିଲେ । ତେବେ ବାଣ୍ଟି ବାଣ୍ଟି ଥକି ଗଲେ । ବିରକ୍ତ ବି ହୋଇଗଲେ । ପୁଣି ଜଣ ଜଣ କରି ମଞ୍ଚ ଉପରକୁ ଆସିବାରେ ସମୟ ଲାଗୁ ଥିଲା । ତେଣୁ ଶେଷରେ ମନ୍ତ୍ରୀ କହିଲେ ଆଉ କେହି ମଞ୍ଚ ଉପରକୁ ଆସ ନାହିଁ । ଆଗରେ ଠିଆ ହୁଅ । ଏହା ପରେ ମନ୍ତ୍ରୀ ଦେଶପାଣ୍ଡେ ମଞ୍ଚ ଉପରୁ ଗୋଟି ଗୋଟି କରି କିଟ୍ ସମ୍ବର୍ଦ୍ଧିତ ହେବାକୁ ଥିବା କ୍ରୀଡ଼ାବିତଙ୍କ ହାତକୁ ଫିଙ୍ଗିଥିଲେ ।

ଏହି ଭିଜୁଆଲ ଭାଇରାଲ ହେବା ପରେ ଏବେ ପ୍ରବଳ ପ୍ରତିକିୟା ପ୍ରକାଶ ପାଇଛି । ଇଏ କିପ୍ରକାର ସମ୍ମାନ ବୋଲି ପ୍ରଶ୍ନ ଉଠିଛି । ଅବଶ୍ୟ ଏହାର ଜବାବରେ ମନ୍ତ୍ରୀ କହିଛନ୍ତି, ସମସ୍ତେ ଆମ ପିଲା ଥିଲେ । କିଛି ଲୋକ ଘଟଣାକୁ ଅଯଥାରେ ବଢ଼େଇ ଚଢ଼େଇ କହୁଛନ୍ତି ।