ଉତ୍ତରପ୍ରଦେଶ ଝାନ୍ସୀର ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଏରିଆ ମ୍ୟାନେଜର ନିଜ ଜୀବନ ହାରିଛନ୍ତି । ମୃତଦେହ ନିକଟରେ ୫ ପୃଷ୍ଠାର ନୋଟ୍ ଜବତ କରିଛି ପୋଲିସ । ସେଥିରେ କାମ ପ୍ରେସର ଯୋଗୁଁ ଜୀବନ ହାରିଥିବା ଜଣାପଡିଛି । ଫଳରେ କର୍ମଚାରୀ ଜଣକ ଏଭଳି ନିଷ୍ପତ୍ତି ନେଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖବର ମୁତାବକ, ଝାନ୍ସୀର ନବାବାଦ ଥାନା ଗୁମନାଓ୍ୱରା ପିଛୋରରେ ରହୁଥିବା ୪୨ ବର୍ଷୀୟ ତରୁଣ ସକେ୍ସନା ଏକ ଫାଇନାନ୍ସ କମ୍ପାନୀରେ ଏରିଆ ମ୍ୟାନେଜର କାମ କରୁଥିଲେ । ତାଙ୍କର ଏକ ଝିଅ ଏବଂ ପୁଅ ରହିଛି । ଘରକୁ କାମ କରିବାକୁ ଆସୁଥିବା ଚାକରାଣୀ ତରୁଣଙ୍କ ଶରୀର ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଚାକରାଣୀ ଚିତ୍କାର କରିବାରୁ ଘରର ଅନ୍ୟ ସଦସ୍ୟ ପହଞ୍ଚିଥିଲେ । ଏହାପରେ ପୋଲିସକୁ ଖବର ଦେବା ପରେ ମୃତଦେହକୁ ଜବତ କରିଥିଲା ପୋଲିସ । ପୋଲିସ ମୃତଦେହ ପାଖରୁ ୫ ପୃଷ୍ଠାର ସୁଇସାଇଡ ନୋଟ ଜବତ କରିବା ସହିତ ଲାପଟପ୍ ମଧ୍ୟ ଜବତ କରିଛି । ସୁଇସାଇଡ ନୋଟରେ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି ମୃତ ତରୁଣ ।
ସୁଇସାଇଡ ନୋଟ ଏବଂ ପରିଜନଙ୍କ କହିବାନୁସାରେ, ଫାଇନାନ୍ସ କର୍ମଚାରୀଙ୍କ ଉପରେ କମ୍ପାନୀ ଟାଗେର୍ଟ ପୂରଣ କରିବାକୁ ଅଧିକ ଚାପ ପକାଇଥିଲେ । ଟାଗେର୍ଟ ପୂରଣ ନ କରିପାରିବେ ଦରମା କାଟିଦିଆଯିବ ବୋଲି କୁହାଯାଉଥିଲା । ଦୁଇ ମାସ ହେଲାଣି ଠିକ୍ ଭାବେ ଖାଇବା କି ଶୋଇ ପାରୁନଥିଲେ ତରୁଣ । ଘରେ ମଧ୍ୟ ଏ ବିଷୟରେ ଜଣାଇଥିଲେ ।
ମୃତ ତରୁଣଙ୍କ ଭାଇଙ୍କ କହିବା ମୁତାବକ, କମ୍ପାନୀ ବାରମ୍ବାର ଟାଗେର୍ଟ ପୂରଣ ପାଇଁ ଚାପ ପକାଉଥିଲା । ଟାଗେର୍ଟ ପୂରଣ ନ କଲେ ଦରମାରୁ ପଇସା କଟାଯିବାକୁ କୁହାଯାଇଥିଲା । ତେଣୁ ତରୁଣ ଏସବୁ ଚାପ ସହି ନ ପାରି ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ମୃତ ତରୁଣଙ୍କ ବୟସ ୪୨ ବର୍ଷ ବୋଲି ଜଣାପଡିଛି । ପୋଲିସ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି ।