ବଜେଟ୍ ୨୦୨୪: କ୍ରମାଗତ ୭ମ ଥର ବଜେଟ୍ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ ଦେସାଇଙ୍କ ରେକର୍ଡ

ଘୋଷଣା ହୋଇସାରିିଛି ବଜେଟ୍ ତାରିଖ । ଜୁଲାଇ ୨୩ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ ପୂର୍ଣ୍ଣ ଆର୍ଥିକ ବଜେଟ୍ । ଅର୍ଥ ମନ୍ତ୍ରୀ ଜୁଲାଇ ୨୩ରେ କ୍ରମାଗତ ୭ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ନୂଆ ରେକର୍ଡ ନିଜ ନାମରେ କରିବେ । ବଜେଟ୍ ଉପସ୍ଥାପନ କରି ସୀତାରମଣ ରଚିବେ ଇତିହାସ । ସେ ଦେଶର ତତ୍କାଳୀନ ଅର୍ଥ ମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ରେକର୍ଡ ଭଙ୍ଗ କରିବେ ।
ନିର୍ମଳା ସୀତାରମଣ ଜୁଲାଇ ୨୩ରେ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରି ଏକ ଐତିହାସିକ ଉପଲବ୍ଧି ହାସଲ କରିବେ । ସେ ଦେଶର ପ୍ରଥମ ଅର୍ଥ ମନ୍ତ୍ରୀ ହେବେ, ଯିଏକି କ୍ରମାଗତ ୭ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ମୋରାରଜୀ ଦେସାଇଙ୍କ ୬ଷ୍ଠ ବଜେଟ୍ ଉପସ୍ଥାପନର ପୁରୁଣା ରେକର୍ଡକୁ ସେ ପଛରେ ପକାଇଦେବେ । ଅର୍ଥ ମନ୍ତ୍ରୀ ରୂପେ ସୀତାରମଣ ୨୦୧୯ ଓ ୨୦୨୪ ମଧ୍ୟରେ ଦୁଇଟି ଅନ୍ତରୀଣ ବଜେଟ୍ ଏବଂ ଚାରୋଟି ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିଛନ୍ତି ।
ପୂର୍ବରୁ ଏହି ରେକର୍ଡ ମୋରାରଜୀ ଦେସାଇଙ୍କ ନାମରେ ଥିଲା । ସେ ଅର୍ଥ ମନ୍ତ୍ରୀ ରୂପେ କ୍ରମାଗତ ୬ଟି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ । ମୋରାରଜୀ ଦେସାଇ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ଅର୍ଥ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ସେ ପ୍ରଥମେ ପାଞ୍ଚଟି ପୂର୍ଣ୍ଣ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ସହିତ ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କ କାର୍ଯ୍ୟକାଳ ଭାରତୀୟ ବିତ୍ତୀୟ ଇତିହାସରେ ଏକ ଦୀର୍ଘକାଳୀନ ବେଞ୍ଚମାର୍କ ସ୍ଥାପନ କରିଥିଲା ।
ବର୍ତ୍ତମାନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ରେ ସଂସଦରେ ଉପସ୍ଥାପିତ ଅନ୍ତରୀଣ ବଜେଟ୍ ପରେ ମୋଦି ୩.୦ ସରକାରଙ୍କ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ସୂଚନାଥାଉ କି, ସଂସଦର ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ।