ରାମଗୋପାଳ ବର୍ମାଙ୍କ ନାଁରେ FIR, ସିଏମ୍ ଚନ୍ଦ୍ରବାବୁ ନାଇଡୁଙ୍କ ମର୍ଫେଡ୍ ଫଟୋ କରିଥିଲେ ପୋଷ୍ଟ

ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା ଆଜିକାଲି ନିଜର ଫିଲ୍ମ ପାଇଁ କମ୍, ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଏବେ ରାମଗୋପାଳ ବର୍ମାଙ୍କୁ ନେଇ ଆଉ ଏକ ବିବାଦ ଦେଖାଦେଇଛି । ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ କଣ୍ଟେଣ୍ଟ ସର୍କୁଲେଟ କରିଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ସେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ତାଙ୍କ ପୁଅଙ୍କ ସମେତ ଟିଡିପି ନେତା ଏବଂ ଜନସେନା ପାର୍ଟିର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ମର୍ଫେଡ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଗଣମାଧ୍ୟମର ରିପୋର୍ଟ ମୁତାବକ, ଟିଡିପି ନେତା ରାମଲିଙ୍ଗମ ପ୍ରକାଶମ୍ ଜିଲ୍ଲାର ମଦ୍ଦିପଡୁ ଥାନାରେ ରାମଗୋପାଳ ବର୍ମାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ନିର୍ମାତା ସିଏମ୍ ନାଇଡୁ, ତାଙ୍କ ପୁଅବୋହୂଙ୍କ ସମେତ ପରିବାରକୁ ଟାର୍ଗେଟ୍ କରି ଅପମାନଜନକ କଣ୍ଟେଣ୍ଟ ସୋସିଆଲ ମିଡିଆରେ ସର୍କୁଲେଟ୍ କରିଥିଲେ । ତାଙ୍କର ଏହି ପୋଷ୍ଟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ସମାଜରେ ଅସମ୍ମାନ କରୁଛି ।

ପ୍ରକାଶମ୍ ପୋଲିସ ଏସପି ଏ.ଆର୍. ଦମୋଦରଙ୍କ ସୂଚନା ଅନୁସାରେ, ଏହି ମାମଲା ଆଇଟି ଆକ୍ଟ ଅଧୀନରେ ରୁଜୁ କରାଯାଇଛି । କହି ରଖୁଛୁ, ନାଇଡୁଙ୍କ ଉପରେ ବିବାଦୀୟ ଫିଲ୍ମ ମଧ୍ୟ ତିଆରି କରିଛନ୍ତି ରାମଗୋପାଳ ବର୍ମା । ତାଙ୍କ ଫିଲ୍ମ ‘ଲକ୍ଷ୍ମୀସ୍ ଏନଟିଆର୍’ ଟିଡିପିର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ଜୀବନୀ ଉପରେ ଆଧାରିତ ଥିଲା ।