ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା! ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା; ଜିଅନ୍ତା ଜଳିଗଲେ ୯ ଜଣ

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କା ପରେ ହଠାତ୍‌ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ୯ ଜଣ ଲୋକ ଘଟଣାସ୍ଥଳରେ ଜୀଅନ୍ତା ଜଳିଯାଇଛନ୍ତି। ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ମଧ୍ୟରେ ମୁହାଁମହିଁ ଧକ୍କା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସ୍ଥାନୀୟ ବନ ବିଭାଗର କହିବା ହେଲା, ଦୁର୍ଘଟଣାର ପାଖାପାଖି ୧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପରେ ପୀଡ଼ିତଙ୍କ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଏହି ଭୀଷଣ ଦୁର୍ଘଟଣା ପରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା। ରାସ୍ତାର ଉଭୟ ପଟେ ଯାନବାହନଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ନିଆଁର ଭୟବହତା ଏତେ ମାତ୍ରାରେ ଥିଲା ଯେ ପାଖ ଜଙ୍ଗଲକୁ ନିଆଁ ବ୍ୟାପିଯାଇଥିଲା।

ପୋଲିସର ସୂଚନା ଅନୁସାରେ, ପ୍ରଥମେ କାଠ ବୋଝେଇ ଟ୍ରକର ଟାୟାର ଫାଟି ଯାଇଥିଲା। ଫଲରେ ତାହା ନିୟନ୍ତ୍ରଣ ହରାଇ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହା ପରେ ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ପରେ ପେଟ୍ରୋଲ ଚାରିଆଡ଼େ ବିସ୍ତାର ହୋଇ ଯିବାରୁ ପାଖ ଜଙ୍ଗଲର କିଛି ଗଛ ମଧ୍ୟ ଜଳିଯାଇଛି। ତେବେ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ଜଙ୍ଗଲରେ ଲାଗିଥିବା ନିଆଁକୁ କାବୁ କରାଯିବାକୁ ଚେଷ୍ଟା ଜାରି ରହିଥିଲା। କୁହାଯାଉଛି ଯେ ପେଟ୍ରୋଲ କାଠ ସଂସ୍ପର୍ଶରେ ଆସିବାରୁ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.