ଉତ୍ତରପ୍ରଦେଶ: ଝାନସୀ ରାଣୀ ଲକ୍ଷ୍ମୀବାଇ ମେଡିକାଲରେ ନିଆଁ, ୧୦ ଶିଶୁ ଜୀବନ୍ତ ଦଗ୍ଧ

ଦୁଃଖଦ, ଅଭାବନୀୟ ଘଟଣା ।  ନିଆଁ ଲାଗି ୧୦ ଶିଶୁ ଜୀବନ୍ତ ଦଗ୍ଧ । ଉତ୍ତରପ୍ରଦେଶ ଝାନସୀ ରାଣୀ ଲକ୍ଷ୍ମୀବାଇ ମେଡିକାଲରେ ନିଆଁ ଲାଗି ୧୦ ନବଜାତଙ୍କ ଜୀବନ ଯାଇଛି । ଅନେକ ଶିଶୁ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ  ।  ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଜାଣିବା ପରେ ଲୋକେମାନେ ଦୌଡିଥିଲେ । ଫଳରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଏଥିଯୋଗୁଁ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହୀନିର ଟିମ୍ ୩୭ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିଲା। ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ହସ୍ପିଟାଲ ବାହାରେ ହଜାର ହଜାର ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା ।  ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।  କେମିତି ନିଆଁ ଲାଗିଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୧୨ ଘଣ୍ଟା ମଧ୍ୟରେ କିପରି ନିଆଁ ଲାଗିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

You might also like