Air India ଏକ୍ସପ୍ରେସ୍‌ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ୧୭୯ ଯାତ୍ରୀଙ୍କ ଜୀବନ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏଠାରେ କୋଚି ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ହଠାତ୍‌ ନିଆଁ ଲାଗିଯାଇଥିଲା ।

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏଠାରେ କୋଚି ଅଭିମୁଖେ ଉଡ଼ାଣ ଭରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଇଞ୍ଜିନରେ ନିଆଁ ଲାଗିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ମୁତାବକ, ଏହି ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ଘଟଣା ପରେ ବିମାନକୁ ତୁରନ୍ତ ବିମାନବନ୍ଦରରେ ଓହ୍ଲାଇବାକୁ ପଡ଼ିଥିଲା । ଏହାର ଇଞ୍ଜିନରେ ନିଆଁ ଲାଗିବା ପରେ ବେଙ୍ଗାଲୁରୁ ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଏମରଜେନ୍ସି ଘୋଷଣା ପରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କହି ରଖୁଛୁ, ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (BIAL) କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରିଚାଳନା କରେ । କେମ୍ପେଗୋଡା ହେଉଛି ଦେଶର ତୃତୀୟ ବୃହତ୍ତମ ବ୍ୟସ୍ତବହୁଳ ବିମାନବନ୍ଦର । ଏହି ଘଟଣାକୁ ନେଇ ବିଆଇଏଏଲ୍‌ ନିଜ ବୟାନରେ କହିଛି, IX 1132 ବିମାନର ଇଞ୍ଜିନରେ ନିଆଁ ଲାଗିବା ପରେ ରାତି ୧୧ଟା ୧୨ରେ ଜରୁରୀକାଳୀନ ଅବତରଣ ହୋଇଥିଲା । ଏହାପରେ ବିମାନବନ୍ଦରରେ ସମ୍ପୂର୍ଣ୍ଣ ସ୍କେଲ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ।

ତେବେ ବିମାନଟି ଲ୍ୟାଣ୍ଡିଂ କରିବା ମାତ୍ରେ ନିଆଁ ଲିଭାଇ ଦିଆଯାଇଥିଲା । ଏଥିରେ ଥିବା ସମସ୍ତ ୧୭୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି ।

ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ବୟାନ ଜାରି କରାଯାଇଛି । ଏୟାରଲାଇନ୍ସ କହିଛି ଯେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିଲା । ଏଥିଯୋଗୁ ବିମାନକୁ ବେଙ୍ଗାଲୁରୁରେ ଅବତରଣ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି । ଏଥିରେ କୁହାଯାଇଛି, ନିଆଁ ଲାଗିବା କ୍ଷଣି ବିମାନର ଜରୁରୀ ଅବତରଣ ହୋଇଥିଲା । ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ନିଆଁ ଲିଭାଯାଇଥିଲା ।

Leave A Reply

Your email address will not be published.