ମହାକୁମ୍ଭରେ ପୁଣି ଭୟାବହ ଅଗ୍ନିକାଣ୍ଡ, ସେକ୍ଟର-୨୨ରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ

ପୁଣି ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ । ମହାକୁମ୍ଭର ସେକ୍ଟର-୨୨ରେ ଭୟଙ୍କର ନିଆଁ ଲାଗି ଅନେକ ଟେଣ୍ଟ ଜଳିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଅଧିକାରୀମାନେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

ଅଗ୍ନିକାଣ୍ଡରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ବିଷୟରେ ଜଣାପଡ଼ିବା ପରେ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ହେଲେ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ବହୁ ଅସୁବିଧା ହୋଇଥିଲା । କାରଣ, ସେଠାକୁ ଯିବା ପାଇଁ ରାସ୍ତା ନ ଥିଲା । ଏହା ପରେ ବି ସେମାନେ ଠିକ୍ ସମୟରେ ପହଞ୍ଚି ନିଆଁକୁ କାବୁ କରିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି, ଆଜି ଛତନାଗ ଘାଟ ଥାନା ଅଞ୍ଚଳରେ ୧୫ଟି ଟେଣ୍ଟରେ ନିଆଁ ଲାଗିବା ନେଇ ଆମକୁ ସୂଚନା ମିଳିଥିଲା । ତ୍ୱରିତ ପଦକ୍ଷେପ ନିଆଯାଇ ନିଆଁକୁ ଆୟତ୍ତ କରାଯାଇଛି । ଏହା ଅନଧିକୃତ ଟେଣ୍ଟ ଥିଲା । ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ଏହିପରି କିଛି ଦିନ ତଳେ ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା । ପୋଲିସ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟେଣ୍ଟରେ ଖାଦ୍ୟ ପ୍ରସ୍ତୁତି ବେଳେ ଏହି ଘଟଣା ଘଟିଥିଲା ।

ନିଆଁର ପ୍ରକୋପ ଅଧିକ ଥିବାରୁ ପୋଲିସ ଅଧିକାରୀମାନେ ଆଖାପାଖ ଅଞ୍ଚଳକୁ ଖାଲି କରାଇଥିଲେ । ଶାସ୍ତ୍ରୀ ବ୍ରିଜ୍ ଏବଂ ରେଲୱେ ବ୍ରିଜ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଥିଲା । ଏହି ପୂରା ଅଞ୍ଚଳ ମହାକୁମ୍ଭ ମେଳା ଅଞ୍ଚଳରେ ଆସୁଛି । ଏକାଧିକ ସିଲିଣ୍ଡର ବ୍ଲାଷ୍ଟ୍ ହେତୁ ଭୟଙ୍କର ଭାବରେ ନିଆଁ ଲାଗିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ସିଲିଣ୍ଡର ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ, ୨୫ଟି ଟେଣ୍ଟ ଜଳି ପାଉଁଶ